ଓଡ଼ିଶା ମାଗିଲା ୧୫ ଲକ୍ଷ କୋଭିସିଲ୍ଡ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ରାଜ୍ୟରେ ଦୈନିକ ୩ ଲକ୍ଷରୁ ଅଧିକ ଟିକାକରଣ ହେଉଥିବାରୁ କେନ୍ଦ୍ର ସରକାରଙ୍କୁ ୧୫ ଲକ୍ଷ କୋଭିସିଲ୍ଡ ପଠାଇବାକୁ ଅନୁରୋଧ କରିଛି ଓଡ଼ିଶା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ପତ୍ର ଲେଖିଛନ୍ତି । ଶ୍ରୀ ମହାପାତ୍ର ପତ୍ରରେ ଲେଖିଛନ୍ତି ଯେ, ଆସନ୍ତା ଦୁଇଦିନ ପରେ ସରକାରଙ୍କ ପାଖରେ ଥିବା ୬.୧୪ ଲକ୍ଷ କୋଭିସିଲ୍ଡ ସରିଯିବ । ଆସନ୍ତା ୧୫ ତାରିଖରେ ଯାଇ କୋଭିସିଲ୍ଡ ଆସିବାର ଅଛି । ଏପରିସ୍ଥଳେ ରାଜ୍ୟରେ ୯ରୁ ୧୫ ତାରିଖ ଭିତରେ ଟିକା ଅଭାବରୁ ପ୍ରକ୍ରିୟା ପ୍ରଭାବିତ ହେବ । ଏଣୁ ଓଡ଼ିଶାକୁ ଜରୁରୀଭିତ୍ତିରେ ଅତିରିକ୍ତ ୧୫ ଲକ୍ଷ ଡୋଜ କୋଭିସିଲ୍ଡ ପଠାଯାଉ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଓଡ଼ିଶାକୁ ଜୁଲାଇ ମାସରେ ମୋଟ ୨୫.୩୧ ଲକ୍ଷ ଡୋଜ କୋଭିସିଲ୍ଡ ଆସିବାର ଅଛି । ଏଣୁ କେନ୍ଦ୍ର ସରକାର ରାଜ୍ୟକୁ ଅତିରିକ୍ତ ଟିକା ଯୋଗାଇବାକୁ ସେ ନିବେଦନ କରିଛନ୍ତି ।