ଜୁଲାଇରେ ଭାରତରେ ମିଳିବ ଜନ୍ସନ୍ ଆଣ୍ଡ ଜନ୍ସନ ଦ୍ୱାରା ବିକଶିତ ଟିକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ସନ ଆଣ୍ଡ ଜନ୍ସନ ଦ୍ୱାରା ବିକଶିତ କରୋନା ଟିକା ଆସନ୍ତା ମାସ ଅର୍ଥାତ ଜୁଲାଇରେ ଭାରତରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ଆମେରିକା ଭିତ୍ତିକ ଏହି ଟିକାକୁ ଉତ୍ପାଦକଙ୍କ ଠାରୁ କିଣିବ ଭାରତର ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ । ପ୍ରାଥମିକ ଭାବେ ଏହା କିଛି ହଜାର ସଂଖ୍ୟାରେ ଭାରତ ଆସିବ ।
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିସାରିଛି କମ୍ପାନି । ଏପ୍ରିଲ ମାସରେ ଭାରତରେ ଏକ କ୍ଲିନିକାଲ୍ ବ୍ରିଜିଙ୍ଗ ଅଧ୍ୟୟନ ଆରମ୍ଭ କରିବାର ଲକ୍ଷ୍ୟ ନେଇ କେନ୍ଦ୍ର ନିକଟକୁ ଯାଇଥିଲେଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନି ।
ନୂତନ ନିୟମ ଅନୁଯାୟୀ, ଆମେରିକାର ଔଷଧ ନିୟାମକ ଦ୍ୱାରା ଅନୁମୋଦିତ ଟିକା ଭାରତରେ ବ୍ରିଜିଙ୍ଗ ପରୀକ୍ଷା କରିବାର ଆବଶ୍ୟକତା ନାହିଁ । ତେଣୁ ଆସନ୍ତା ମାସ ଅର୍ଥାତ ଜୁଲାଇରେ ସରକାର ଏହି ଟିକାକୁ ଅନୁମତି ଦେବେ ବୋଲି ଜଣାପଡ଼ିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଜନ୍ସନ ଆଣ୍ଡ ଜନ୍ସନ ଟିକା ନିମ୍ନରୁ ମଧ୍ୟମ ଧରଣର କରୋନା ରୋଗୀଙ୍କ ଉପରେ ୬୬.୩ ପ୍ରତିଶତ ଫଳପ୍ରଦ ହେଉଥିବା ବେଳେ ସାଂଘାତିକ ରୋଗୀଙ୍କ ଉପରେ ଏହି ଟିକା ୭୬.୩ ପ୍ରତିଶତ ଫଳପ୍ରଦ ହେଉଥିବା କୁହାଯାଇଛି । ଏହି ଟିକା ନେବାର ୨୮ ଦିନ ପରେ କରୋନା ପାଇଁ ଆଉ ମେଡିକାଲରେ ପଡ଼ିବାକୁ ହେବ ନାହିଁ ବୋଲି କୁହାଯାଇଛି । ୨୦୨୧ ଫେବ୍ରୁଆରୀରେ ଏହି ଟିକା ଆମେରିକାରେ ଜରୁରୀକାଳୀନ ଭିତିରେ ଲଗାଯାଇଥିଲା ।