ଆଜିଠୁ ଶିଶୁଙ୍କୁ କୋଭାକ୍ସିନର ପରୀକ୍ଷଣ ଆରମ୍ଭ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ) : ଶିଶୁଙ୍କୁ କରୋନା ଭ୍ୟାକ୍ସିନ ମିଳିବା କିମ୍ବା ଏହି ବର୍ଗର ପିଲାଙ୍କ ଟିକାକରଣ ନେଇ ସମ୍ଭାବନା ଦେଖାଦେଇଛି । ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥା(ଏମ୍ସ) ଆଜି ଶିଶୁଙ୍କ ଉପରେ କୋଭିଡ୍-୧୯ ଭ୍ୟାକ୍ସିନ କୋଭାକ୍ସିନର ପରୀକ୍ଷଣ ଆରମ୍ଭ ହେବ । ଭାରତ ବାୟୋଟେକକୁ ଔଷଧ ନିୟାମକ ଡିସିଜିଆଇ ପକ୍ଷରୁ ମେ ୧୧ରେ ଶିଶୁଙ୍କ ଉପରେ କ୍ଲିନିକଲ ଟ୍ରାଏଲକୁ ମଞ୍ଜୁରୀ ମିଳିଥିଲା । ଏହା ପରେ ଗତ ସପ୍ତାହରେ ଏମ୍ସ ପାଟନାରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କଠାରେ କୋଭାକ୍ସିନର ପରୀକ୍ଷଣ ଆରମ୍ଭ କରାଯାଇଥିଲା । ଗତ ସପ୍ତାହରେ ଏମ୍ସ ପାଟନାର ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ସିଂହ କହିଥିଲେ ଯେ, ଏମ୍ସ ପାଟନା ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କଠାରେ ପରୀକ୍ଷଣ ଆରମ୍ଭ କରିଛି । ଏହା ପରେ ୬ ରୁ ୧୨ ବର୍ଷ ବୟସର ପିଲାଙ୍କୁ ନେଇ ପରୀକ୍ଷଣ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ୨ ରୁ ୬ ବର୍ଷର ପିଲାଙ୍କୁ ଏଥିରେ ସାମିଲ କରାଯିବ ।