ଫ୍ରେଞ୍ଚ ଓପନ୍‌: ଚତୁର୍ଥ ରାଉଣ୍ଡରେ ବିଜୟ ସତ୍ତେ୍ ଓହରିଲେ ଫେଡେରର

0

ପ୍ୟାରିସ୍‌ (ଓଡ଼ିଶା ଫାଷ୍ଟ ବ୍ୟୁରୋ) : ପୂର୍ବତନ ଏକ ନମ୍ବର ତଥା ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱିଜରଲାଣ୍ଡର ରୋଜର ଫେଡେରର ନିଜ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ପ୍ରେଞ୍ଚ ଓପନର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ସେ ଗତ ଏକବର୍ଷରୁ ଅଧିକ ସମୟ ହେବ ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଥିଲେ । ଏହାର ସର୍ଜରୀ ମଧ୍ୟ କରିଥିଲେ । ୩୯ ବର୍ଷୀୟ ଫେଡେରର ୫୯ତମ ରାଙ୍କର ଖେଳାଳି ଜର୍ମାନୀର ଡୋମିନିକ କୋପଫରଙ୍କୁ ଏକ କଡା ମୁକାବିଲାରେ ୭-୬, ୬-୭, ୭-୬, ୭-୫ ସେଟ୍‌ରେ ପରାସ୍ତ କରିଥିଲେ । ୩ ଘଣ୍ଟା ଓ ୩୯ ମିନିଟ୍‌ ଚାଲିଥିବା ଏହି ମୁକାବିଲାରେ କୋପଫର ଫେଡେରରଙ୍କୁ କଡା ଟକ୍କର ଦେଇଥିଲେ । ପ୍ରି କ୍ୱାର୍ଟର ଫାଇନାଲରେ ତାଙ୍କ ମୁକାବିଲା ୯ମ ସିଡ୍‌ ମାଟିଓ ବେରେଟିନିଙ୍କ ସହ ହେବାରଥିଲା । ସେ କହିଛନ୍ତି, ଆଣ୍ଠୁର ଦୁଇଟି ସର୍ଜରୀ ଏବଂ ଗୋଟିଏ ବର୍ଷରୁ ଅଧିକ ରିହାବିଲିଟେସନ ପରେ ନିଜ ଶରୀରକୁ ସୁସ୍ଥ ରଖିବାର ବହୁତ ଆବଶ୍ୟକତା ରହିଛି । ନିଜ ଟିମ୍‌ ସହ ଆଲୋଚନା ପରେ ମୁଁ ଫ୍ରେଞ୍ଚ ଓପନରୁ ଓହରିବାକୁ ନିଷ୍ପତ୍ତି ନେଇଥିଲି ।

Leave a comment