ଭୁବନେଶ୍ୱରରେ ପହଂଚିଲେ କେନ୍ଦ୍ରୀୟ ଟିମ୍
ଆସନ୍ତାକାଲି ଯିବେ ବାତ୍ୟାଞ୍ଚଳ
ଭୁବନେଶ୍ୱର,(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାରେ ବାତ୍ୟା ‘ୟାସ’ କ୍ଷୟକ୍ଷତିର ଆକଳନ ପାଇଁ ରବିବାର ଓଡ଼ିଶାରେ ପହଞ୍ôଚଛନ୍ତି କେନ୍ଦ୍ରୀୟ ଟିମ୍ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଏଡି ଟିମ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ôଚଛନ୍ତି । ସୋମବାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣୱାଲଙ୍କ ନେତୃତ୍ୱରେ ଏହି ଟିମ ଓଡ଼ିଶା ଆସିଛି । ଏହି କେନ୍ଦ୍ରୀୟ ଦଳରେ ୭ ଜଣ ସଦସ୍ୟ ରହିଛନ୍ତି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।ବାତ୍ୟା ୟସ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି ଟିମ । ଦୁଇ ଟିମରେ ବିଭକ୍ତ ହୋଇ ୪ ଜିଲ୍ଲା ଗସ୍ତ କରିବ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ । ୨ ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଟିମ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ । ଦିଲ୍ଲୀ ଫେରି ଓଡ଼ିଶାକୁ ୫ ଶହ କୋଟିର ସହାୟତା ରାଶି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଦୀର୍ଘ ସ୍ଥାୟୀ ଯୋଜନା କରିବା ଲାଗି କେନ୍ଦ୍ର ନିକଟରେ ଦାବି ରଖିଛି ରାଜ୍ୟ । ଅନ୍ୟପଟେ ୟାସ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରାୟ ୬୨୦ କୋଟି କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।