ମଇଁଷି ବିବାଦରୁ ହତ୍ୟାକାଣ୍ଡ, ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାରେ ଉକ୍ତ ଗ୍ରାମର ଅଭିଯୁକ୍ତ ବାପ-ପୁଅ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଭୟ ବାପ ଓ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଢେଙ୍କାନାଳ ଜିଲ୍ଲା ଦୌରା ଜର୍ଜ । ଅଭିଯୁକ୍ତ ବାପ ପୁଅ ହେଲେ ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମର ଦନେଇ ବେହେରା ଓ ପୁଅ ଦୁଷ୍ମନ୍ତ ବେହେରା ।
ସୂଚନାଯୋଗ୍ୟ, ମଇଁଷିକୁ କେନ୍ଦ୍ର କରି ଉଭୟ ବାପ ପୁଅଙ୍କର ତାଙ୍କ ଗ୍ରାମ ଗାଲପଡାର ଗୁରୁବାରୀ ବେହେରାଙ୍କ ସହ ବିବାଦ ରହିଥିଲା । ତେବେ ଗତ ୨୦୧୮ମସିହା ମେ ୧ତାରିଖ ସନ୍ଧ୍ୟାରେ ଗୁରୁବାରୀ ବେହେରା ମଇଁଷି ଖୋଜିବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିବାବେଲେ ତାଙ୍କୁ ଦନେଇ ଓ ପୁଅ ଦୁଷ୍ମନ୍ତ ମିଶି ପିଟିପିଟି ହତ୍ୟା କରିଥିଲେ । ଏପରିକି ବାପା ଗୁରୁବାରୀଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ପୁଅ ବିଭୁତି ବେହେରା ମଧ୍ୟ ଆକ୍ରମରେ ଆହତ ହୋଇଥିଲେ । ଏ ସମ୍ପର୍କରେ ବାଲିମି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଉଭୟ ବାପ ପୂଅଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।