ସାଂସଦ ଆଜମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ICUରେ ଭର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ ଗୁରୁତର ହୋଇପଡିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଗତ ରବିବାର ସୀତାପୁର ଜିଲ୍ଲା ଜେଲରେ କଏଦୀ ଥିବା ଆଜମ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ଅଚାନକ ବିଗିଡିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ପାସପୋର୍ଟ ନମ୍ବର ଜାଲିଆତି ମାମଲାରେ ୨୦୨୦ ଫେବୃଆରୀ ୨୭ ତାରିଖରୁ ଜେଲରେ ଥିବା ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଖାନ ଗତ ଏପ୍ରିଲ ୩୦ ତାରିଖରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ କୁହାଯିବାରୁ ସେ ଯିବାକୁ ରାଜି ହୋଇନଥିଲେ । ବହୁ ସମୟ ବୁଝା ସୁଝା କରିବା ପରେ ​‌ସେ ହସ୍ପିଟାଲ ଯିବାକୁ ଶେଷରେ ରାଜି ହୋଇଥିଲେ ।

ପରେ ଆଜମ ଖାନ ଏବଂ ତାଙ୍କ ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ନୌ ପଠାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ଏମ୍‌ଡିଏମ୍‌ ଅମିତ ଭଟ୍ଟ, ସିଟି ସିଓ ପିୟୁସ କୁମାର ସିଂହ, ଇନସ୍ପେକ୍ଟର ଓପି ରାୟ ଗାର୍ଦଙ୍କ ନେତୃତ୍ବରେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା ।

Leave a comment