ଲଘୁଚାପ ବାତ୍ୟାର ରୂପନେଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ । ଆଜି ମଧ୍ୟ ରାତ୍ରି ସୁଦ୍ଧା ଆନ୍ଧପ୍ରଦେଶର କଳିଙ୍ଗପାଟଣମ ଏବଂ ପୁରୀ ଦେଇ ଗତି କରିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଘୂର୍ଣ୍ଣିଝଡ଼ର ପ୍ରଭାବରେ ମଧ୍ୟ ରାତ୍ରିରୁ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ଏହି ଝଡ଼ର ପ୍ରଭାବ ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ଅଞ୍ଚଳରେ ପଡିବ ବୋଲି ଆଶଙ୍କା କରାଯାଉଛି ।
ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଦେଶର ୮ରୁ ଅଧିକ ରାଜ୍ୟକୁ ସତର୍କ କରାଇ ଦିଅଯାଇଛି । ଅଭ୍ୟନ୍ତରୀଣ ଆନ୍ଧପ୍ରଦେଶ, ତେଲେଙ୍ଗାନା,ଓଡ଼ିଶା,ଝାଡଖଣ୍ଡ,ଛତିଶଗଡ଼,ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ଼ର ପ୍ରଭାବ ଫଳରେ ବିଶାଖାପାଟଣା, ଭାଇଜାକ୍ ଏବଂ ସିରିକୁଲମ, ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ପଡିବା ସହ ଏହି ସ୍ଥାନ ଗୁଡ଼ିକରେ କ୍ଷୟକ୍ଷତି ହୋଇପାରେ ବୋଲି ଅନୁମାନ କରାଯାଇଛି । ତେଣୁ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ସରକାରୀ ଛୁଟି ବାତିଲ କରାଯିବା ସହ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।