ମୃତଦେହ ନିକଟରୁ ଉଦ୍ଧାର ହେଲା ୧୧ମାସର ଶିଶୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିଞ୍ଜିଳି ଥାନା ଅନ୍ତର୍ଗତ ନୁଆଁଗଡ଼ ଗ୍ରାମରୁ ଜଣେ ମହିଳାଙ୍କ ଝୂଲନ୍ତା ମୃତଦେହ ଜବତ କରିଛି ପୋଲିସ । ତାଙ୍କ ନିକଟରୁ ଉଦ୍ଧାର କରିଛି ୧୧ମାସର ଶିଶୁ କନ୍ୟା । ମୃତକ ଜଣଙ୍କ ସୁନିଲ ସେଠିଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ (୨୨) ।
ସୂଚନା ଅନୁଯାୟୀ ସ୍ଥାନୀୟ ନୁଆଁଗଡ଼ ଗ୍ରାମର ସୁନିଲ ସେଠିଙ୍କ ପରିବାର ଘରେ ନଥିବା ବେଳେ ମହିଳା ଜଣଙ୍କ ଘର ଛାତ ହୁକ୍ରେ କପଡ଼ା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଶୁଣିବାକୁ ମିଳିଛି । ପରିବାର ପକ୍ଷରୁ ଏନେଇ ହିଞ୍ଜିଳି ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ତହସିଲଦାର ଜନ୍ମେଜୟ ସାହୁଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ୧୧ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ମୃତଦେହକୁ ଜବତ କରିଥିଲା ।
ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିବା ବେଳେ ହିଞ୍ଜିଳି ଥାନାରେ କେସ୍ ନଂ-୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ । ମୃତଦେହକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।