ସୁସ୍ଥ ହେଲେ କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାବାସୀଙ୍କ ପାଇଁ ପୁଣି ଆସିଲା ଖୁସି ଖବର । ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ କଳାହାଣ୍ଡିର । କଳାହାଣ୍ଡି ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିବା ନେଇ ଟ୍ୱିଟରରେ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା କଳାହାଣ୍ଡିର ଏହି ଆକ୍ରାନ୍ତ ଜଣଙ୍କ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କଳାହାଣ୍ଡିର ଏହି ପ୍ରଥମ କରୋନା ସଂକ୍ରମିତ ଜଣଙ୍କ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩ରେ ପହଞ୍ଚିଲା । ପ୍ରକାଶଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଥିଲେ, ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି ।