କଠୋର ହେଲା ପ୍ରଶାସନ, ଲକ ଡାଉନ ବେଳେ ନିୟମ ଭାଙ୍ଗିଲେ ଜେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନା ଭାଇରସ ବ୍ୟାପୁଥିବା ଦେଖି ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ଘୋଷଣା ହୋଇଛି। ଅର୍ଥାତ୍ ଆଗାମୀ ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ହେଲେ କିଛି ଲୋକ ଏହାକୁ ମାନୁ ନାହାଁନ୍ତି। ନିୟମ ଭାଙ୍ଗିଥିବା ବ୍ୟକ୍ତି କିମ୍ୱା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଏହି ୨୧ ଦିନ ଭିତରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଧାରା ୫୧ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଥିରେ ଉଭୟ ଜୋରିମାନା ଏବଂ ସଜା ବ୍ୟବସ୍ଥା ରହିଛି। ଲକ୍‌ଡାଉନ୍ ନମାନିଲେ ୨୦୦ ଟଙ୍କା ଜୋରିମାନା ସହିତ ମାସେ ପାଇଁ ଜେଲ୍ ଦଣ୍ଡାଦେଶ ରହିଛି। ସେହିପରି  ଉଲ୍ଲଂଘନକାରୀ ଅନ୍ୟ କାହାର କ୍ଷତି ପହଞ୍ଚାଇଲେ ୨ ବର୍ଷ ଯାଏ ଜେଲ୍ ଦଣ୍ଡାଦେଶ ବଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ସେହିପରି କରୋନା ଭାଇରସକୁ ନେଇ ଗୁଜବ ଖବର ପ୍ରଚାର କରୁଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାଳୟ ଦେଇଛି। ଗୁଜବକାରୀଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ସହିତ ଜୋରିମାନା ବ୍ୟବସ୍ଥା କରିଛନ୍ତି ସରକାର। ଏହାବାଦ୍ କରୋନା ମୁକାବିଲା ପାଇଁ ସୃଷ୍ଟି ହୋଇଥିବା ଫଣ୍ଡରେ ଘୋଟାଲା ହେଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ନିୟମ ସରକାରୀ ଅଫିସରଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।

Leave a comment