କାଲି ଜନତା କର୍ଫ୍ୟୁ : ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ରାଜ୍ୟ ତମାମ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ। ଜନତା କର୍ଫ୍ୟୁ ଆହ୍ୱାନ ଯୋଗୁଁ ବସ୍ ଚଳାଚଳ ବନ୍ଦ ରହିବ। ଏନେଇ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ଏହି ଲାଗୁ ହେବ। ଦେଶବାସୀଙ୍କୁ ସମ୍ବୋଧନ କରି ଏହି କର୍ଫ୍ୟୁ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ମୋଦି।
ଏହାଛଡ଼ା କଟକରେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିବ। ସହରରେ କେବଳ ୫୦ଟି ଅଟୋକୁ ଛାଡ଼ି ଦେଲେ ସମସ୍ତ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଅଟୋ ରିକ୍ସା ସଂଘ ପକ୍ଷରୁ କୁହାଯାଇଛି।
ବସ୍ ଚଳାଚଳ ବନ୍ଦ ଯୋଗୁ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏଥିଯୋଗୁ ବହୁ କ୍ଷତି ହେବାକୁ ଥିବା ବେଳେ କିନ୍ତୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି।