ନୂଆ ରୂପର ପୁରୀର ଏକ ଝଲକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ଶ୍ରୀମନ୍ଦିର ଚତୁରପାର୍ଶ୍ଵ ଉଚ୍ଛେଦ ପରେ ବଦଳି ଯାଇଛି ପୁରୀର ରୂପରେଖ । ଅନେକ ବର୍ଷରୁ ବାହାର ପର୍ଶ୍ୱରୁ ଦେଖାଯାଉ ନଥିବା ସୁଉଚ୍ଚ ମେଘନାଦ ପାଚେରୀ ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି । ଯାହାକି ଶ୍ରୀମନ୍ଦିରର ସୁନ୍ଦରତାକୁ ଅନେକ ଗୁଣରେ ବର୍ଦ୍ଧିତ କରୁଛି । ଆଜି ପୁରୀ ଶ୍ରୀମନ୍ଦିରର ଏ ସୁନ୍ଦର ଓ ମନୋରମ ଦୃଶ୍ୟ ଅନ୍ୟ ସହରର ଐତିହ୍ୟ ର ଭ୍ରମ ସୃଷ୍ଟି କରୁଛି । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇ ପାରିଛି ।

ପୂରୀର ରୂପାନ୍ତରଣ କାର୍ଯ୍ୟ ଏତିକିରେ ଶେଷ ହୋଇନି । କାମ ଜାରି ରହିଛି । ଐତିହ୍ୟ ସହର ଗଠନର କାମ ସରିବା ପରେ ତାହା ପର୍ଯ୍ୟଟକ ଓ ଦେଖଣାହାରୀଙ୍କ ଆଖି ଝଲସେଇ ଦେବ । ଆଉ ଶ୍ରୀଜଗନ୍ନାଥ କ୍ଷେତ୍ରକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବାର ପରିକଳ୍ପନା ମୁଖ୍ୟମନ୍ତ୍ରୀଙ୍କର ହୋଇଥିଲେ ବି ଏଥିରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ସରକାର ମିଶନ ମୋଡରେ ଏହି କାମ ଆଗେଇ ନେଉଥିବା ବେଳେ ପୂରୀବାସୀ ମଧ୍ୟ ଏହି କାର୍ଯ୍ୟକୁ ନିଜର ଉତ୍ତରଦାୟିତ୍ବ ଭାବେ ଗ୍ରହଣ କରି ସହଯୋଗ କରୁଛନ୍ତି ।

କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ । ପ୍ରକୃତରେ ରୂପାନ୍ତରଣ ପ୍ରକ୍ରିୟାରେ ଥିବା ପୁରୀର ଏହି ଫଟୋକୁ ଦେଖିଲେ ଭବିଷ୍ୟତର ରୂପରେଖ ସ୍ପଷ୍ଟ ବାରି ହେଉଛି । ଏହା କୌଣସି ଚତ୍ରକରର ଭାବନା ନୁହେଁ କି ମିଛ ଗ୍ରାଫିକ୍ସ ନୁହେଁ । ଯେଉଁ କାର୍ଯ୍ୟ ବର୍ଷ ବର୍ଷ ଧରି ହୋଇପାରୁନଥିଲା ଏବେ ପୁରୀ ପ୍ରଶାସନ ସହରକୁ ଦର୍ଶନୀୟ ଓ ସୁନ୍ଦର କରିବାକୁ ସମ୍ପୁର୍ଣ୍ଣ ଆନ୍ତରିକତାର ସହ ଲାଗିଛନ୍ତି । କେବଳ ପୁରୀର ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ନୁହେଁ, ଏହାକୁ ଏକ ବିଶ୍ବସ୍ତରୀୟ ସଂସ୍କୃତିକ କ୍ଷେତ୍ର ଭାବେ ଗଢି ତୋଳିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ମାତ୍ର କିଛି ଦିନ ମଧ୍ୟରେ ଶ୍ରୀମନ୍ଦିରର ଚତୁପାର୍ଶ୍ବରୁ ଅବରୋଧ ଓ ନିର୍ମାଣ ହଟିବା ପରେ ଶ୍ରୀମନ୍ଦିରର ଏକ ସୁସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ମେଘନାଦ ପ୍ରାଚୀର ଚାରିପଟ ରାସ୍ତାର ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଶ୍ରୀମନ୍ଦିର ଚାରିପଟେ ଥିବା ବେଆଇନ ଓ ଭଗ୍ନପ୍ରାୟ ନିର୍ମାଣ ଗୁଡିକୁ ହଟେଇ ଦିଆଯାଇଛି । ଏହାଦ୍ବାରା ଶ୍ରୀମନ୍ଦିର ଚାରିପଟେ ଭକ୍ତଙ୍କ ପାଇଁ ବିରାଟ ଖାଲି ଯାଗା ସୃଷ୍ଟି ହୋଇପାରିଛି । ଏଠାରେ ବର୍ତ୍ତମାନ ପାର୍କିଂ, ଟ୍ରାଫିକ ଓ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଖାଲି ସ୍ଥାନ ସୃଷ୍ଟି ହୋଇଛି । ଫଳରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସୁରୁଖୁରରେ ଶ୍ରୀଜିଉମାନଙ୍କ ଦର୍ଶନ କରିପାରିବେ ।

ତିରୁପତି, ଶିରିଡି ଓ ଅମ୍ବ୍ରିତସର ଭଳି ଦେଶର ଅନ୍ୟ ଉନ୍ନତ ଧାର୍ମିକ ସହର ସହ ତୁଳନା କଲେ ବିଗତ ବର୍ଷଗୁଡିକରେ ପୁରୀର ଭିତ୍ତିଭୂମୀ ବିକାଶ ପାଇଁ ବିଶେଷ କିଛି କାର୍ଯ୍ୟ ହୋଇନାହିଁ । ଏବେ କିନ୍ତୁ ପୁରୀକୁ ବିଶ୍ବସ୍ତରୀୟ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଦ୍ରୁତ ରୁପାନ୍ତରଣ କାର୍ଯ୍ୟ ଚାଲିଛି । ଏହି ରୂପାନ୍ତରଣ ଦ୍ବାରା ଶ୍ରୀମନ୍ଦିରର ଚାରିପଟେ ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ଲକ୍ଷାଧିକ ଭକ୍ତ ସମାଗମ ହୋଇପାରିବ ।

Leave a comment