ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଲା ଆଲିଆନ୍ସ ସେବା ସଂଘ

ଗଜପତି/ଭୁବନେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ, ଗଜପତିଓ ବ୍ରହ୍ମପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଲକ୍ଷାଧିକ ଲୋକ ପ୍ରଭାବିତ ହେବା ସହ ଘରଦ୍ବାର କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅବସରରେ ଭୁବନେଶ୍ବରର ଆଲିଆନ୍ସ ସେବା ସଂଘ ବିପନ୍ନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଛି । ଗଜପତି ଜିଲା ମୋହନା ନିର୍ବାଚନମଣ୍ଡଳୀର ମୋହନା ପଞ୍ଚାୟତ ଅନ୍ତର୍ଗତ ଖରିଗୁଡ଼ା, ହୁଏରି, ବାଗଧୁଆ ନଗର, କରିକୁଆ ଗ୍ରାମ ଓ ଯୋରାଉ ପଞ୍ଚାୟତ ଅନ୍ତର୍ଗତ ଯୋରୋଉ, ଶାନ୍ତି ନଗର, ବାଲିପଦର ଗ୍ରାମର ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି ।

ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ତତ୍ତ୍ୱାବଧାନରେ ଆଲିଆନ୍ସ ସେବା ସଂଘର ସଦସ୍ୟମାନେ ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ବନ୍ୟା ଓ ବାତ୍ୟା ପରେ ଅନେକ ପରିବାର ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଭଳି ସହାୟତା ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ବିପଦ ସମୟରେ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସହଯୋଗ କରିବା ହିଁ ପ୍ରକୃତ ମାନବିକତାର ପରିଚୟ । ଆଲିଆନ୍ସ ସେବା ସଂଘର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।
