୬ ବରିଷ୍ଠ ନେତାଙ୍କ ହାତରେ ବିଜେଡିର ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ ଦାୟିତ୍ୱ ମିଳିବ ୬ ବରିଷ୍ଠ ନେତାଙ୍କୁ । ବାଲେଶ୍ଵର ଦାୟିତ୍ୱ ବିଧାୟକ ପ୍ରତାପ ଦେବ, ମନ୍ତ୍ରୀ ପ୍ରତାପ ଜେନା ଏବଂ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ମିଳିଥିବା ବେଳେ ତିର୍ତ୍ତୋଲ ଦାୟିତ୍ୱ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଅତନୁ ସବ୍ୟସାଚୀ ଏବଂ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ପ୍ରଦାନ କରାଯିବାକୁ ଦଳ ନିଷ୍ପତ୍ତି ନେଇଛି ।
ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନରେ ବିଜେଡ଼ି ନିଜ ବାଲେଶ୍ଵର ଗଡକୁ ହରାଇ ବସିଥିଲା । ବିଜେଡ଼ି ର ବାଲେଶ୍ଵର ଗଡ଼ ବିଜେପି ହାତକୁ ଚାଲି ଯାଇଥିଲା । ମାତ୍ର ବାଲେଶ୍ଵର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନ ପୁନର୍ବାର ଫେରିପାଇବାକୁ ବିଜେଡ଼ି ନିଜ ପ୍ରୟାସ ଆରମ୍ଭ କଲେଣି । ତେଣୁ ଏହି ଉପନିର୍ବାଚନର ଜିତିବା ଦାୟିତ୍ୱ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି । ଏହି ନେତାମାନଙ୍କୁ ପୂର୍ବରୁ ଅନେକ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେଠାରେ ଦଳର ସ୍ଥିତି ମଜଭୁତ କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।