ରାକ୍ଷୀରେ ଭାଇମାନଙ୍କ ପାଇଁ ନିଜ ହାତରେ ତିଆରି କରନ୍ତୁ ସ୍ୱାଦିଷ୍ଟ ନଡ଼ିଆ ଲଡୁ

0

ଆଜି ରାକ୍ଷୀପୂର୍ଣ୍ଣିମା, ଏଥିପାଇଁ ମିଠା ଦୋକାନଗୁଡ଼ିକରେ ଲାଗିଲାଣି ପ୍ରବଳ ଭିଡ଼ । ଭଉଣୀମାନେ ନିଜ ଭାଇମାନଙ୍କୁ ମୁହଁ ମିଠା କରିବା ପାଇଁ ବଜାରରୁ ସର୍ବୋତ୍ତମ ମିଠା କିଣିବାକୁ ବାହାରିଛନ୍ତି । କିନ୍ତୁ ଏହି ରାକ୍ଷୀପୂର୍ଣ୍ଣିମାରେ, ଆପଣ ଘରେ ନିଜ ହାତରେ ଭାଇଙ୍କ ପାଇଁ ସ୍ଵାଦିଷ୍ଟ ମିଠା ତିଆରି କରି ମୁହଁ ମିଠା କରିପାରିବେ । ବଜାରର ମିଠା ଅପେକ୍ଷା ଆପଣଙ୍କ ହାତତିଆରି ମିଠା ଖାଇ ଭାଇମାନେ ଅଧିକ ଖୁସି ହେବେନିଶ୍ଚୟ। ଏଥର ରାକ୍ଷୀରେ ଭାଇମାନଙ୍କ ପାଇଁ ତିଆରି କରନ୍ତୁ ନଡ଼ିଆ ଲଡୁ। ଏହି ଲଡୁ ଖାଇବାକୁ ଯେତିକି ସ୍ୱାଦିଷ୍ଟ ତିଆରି କରିବା ସେତିକି ସହଜ । ତେବେ ଆସନ୍ତୁ ଜାଣିବା କେମିତି ତିଆରି କରିବେ ନଡ଼ିଆ ଲଡୁ …
ଆବଶ୍ୟକ ସାମଗ୍ରୀ:-
-୨୫୦ ଗ୍ରାମ ନଡ଼ିଆ କୋରା
– ଏକ କପ୍ କ୍ଷୀର
– ଅଧ କପ୍ ଚିନି
– ୨ ଚାମଚ ଘିଅ
-ଏକ ଚାମଚ ଗୁଜୁରାତି ଗୁଣ୍ଡ
– ପେସ୍ତା ବାଦାମ ଲଡୁ ଉପରେ ସଜେଇବ ପାଇଁ
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ନଡ଼ିଆ କୋରାକୁ ଏକ ପ୍ୟାନରେ ଘିଅ ପକେଇ ଏହାକୁ କିଛି ସମୟ ପାଇଁ ହାଲୁକା ଭାବରେ ଭାଜନ୍ତୁ। ଧ୍ୟନ ଦେବେ ଯେ ନଡ଼ିଆର ରଙ୍ଗ ଯେପରି ନାଲି ନହୁଏ। ହାଲୁକା ଭାଜିବା ପରେ ଏଥିରେ କ୍ଷୀର ମିଶାନ୍ତୁ ଏବଂ ଘାଣ୍ଟନ୍ତୁ। କ୍ଷୀର ସମ୍ପୂର୍ଣ୍ଣ ଶୁଖିଯିବା ପରେ ଚିନି ମିଶାନ୍ତୁ। ଏହା ସମ୍ପୂର୍ଣ୍ଣ ମିଶି ଅଠାଳିଆ ହେବା ପରେ ସେଥିରେ ଅଳ୍ପ ଘିଅ ଏବଂ ଗୁଜୁରାତି ଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ତାକୁ କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ପୁରା ଗରମ କି ଥଣ୍ଡା ହୋଇନଥିବା ଅବସ୍ଥାରେ ଲଡୁ ତିଆରି କରନ୍ତୁ ଏବଂ ଏକ ଥାଳିରେ ରଖନ୍ତୁ। ଏବେ ସେହି ଲଡୁରେ ପେସ୍ତା ବାଦାମ ରଖନ୍ତୁ। ଲଡୁ ତିଆରି ବେଳେ ହାତରେ ଓ ଥାଳିରେ ଘିଅ ଲଗାନ୍ତୁ । ଆପଣ ଏହି ଲଡ଼ୁକୁ ଘରେ ଖାଇବା ସହ ବନ୍ଧୁଘରକୁ ନେଇ ପାରିବେ । ଏହାସହ ଠାକୁରଙ୍କ ପାଖେ ମଧ୍ୟ ଭୋଗ ଲଗେଇ ପାରିବେ ।

Leave a comment