ତାଳଚେରରେ ମାଟି ଦବିବା ଘଟଣାର ଅନୁଧ୍ୟାନ କଲେ ଡି.ଡି.ଏମ୍‌.ଏସ୍‌

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ତାଳଚେର ପୌରାଞ୍ଚଳ ସଦର ଥାନା ସମ୍ମୁଖସ୍ଥ ଶାନ୍ତିଲତା ବାଇଙ୍କ ବାସଭବନ ଚଟାଣ ବୁଧବାର ୪ ଫୁଟ ଦବିଯିବା ପରେ ସହରବାସୀଙ୍କ ସୁରକ୍ଷା ଓ ଭୂତଳ ଖଣିରେ ବାଲି ଫିଲିଂ ଦାବିରେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଥିବା ତାଳଚେର ବନ୍ଦ ଡାକରା ର ସେପରି ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିନାହିଁ। ଗୁରୁବାର ରାତିରୁ ପୋଲିସ ଆନ୍ଦୋଳନକାରୀଙ୍କୁ ୫୩ନଂ. ରାଜପଥରୁ ହଟାଇ ଗାଡ଼ି ଚଳାଚଳ କରାଇଥିବା ବେଳେ ଶୁକ୍ରବାର ମଧ୍ୟ ସ୍ଥିତି ସ୍ବାଭାବିକ ରହିଛି । ଅପରପକ୍ଷରେ ସମସ୍ୟାର ସମାଧାନ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ପାଇଁ ପ୍ରଶାସନ ୧୦ ଦିନ ସମୟ ନେଇଥିବାରୁ ସହରବାସୀ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ସ୍ଥାନୀୟ ଚିତ୍ରକୂଟ ମନ୍ଦିରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ପୂର୍ବାହ୍ନରେ ଶାନ୍ତିଲତା ବାଇଙ୍କ ଘରେ ଡେପୁଟି ଡାଇରେକ୍ଟର ମାଇନ୍ସ ସେପ୍ଟି (ଡିଡିଏମ୍‌ଏସ୍‌) ନରେନ୍ଦ୍ର କୁମାର ପହଞ୍ଚିଥିଲେ । ତାଙ୍କ ସହ ଲିଙ୍ଗରାଜ ଏରିଆ ଜିଏମ୍‌ ଆର.ବି. ରିଙ୍ଗେ, ତାଳଚେର ଏରିଆ ଜେନେରାଲ ମ୍ୟାନେଜର ଭି.କୁମାର ପ୍ରମୁଖ ଘଟଣାସ୍ଥଳ ବୁଲି ଦେଖିବା ପରେ ପ୍ରଶାସନ ସହ ଆଲୋଚନା କରିଥିଲେ । ଡି.ଡି.ଏମ୍‌.ଏସ୍‌ ରିପୋର୍ଟ ଦେବା ପରେ ମାଟି ଦବିବାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।

Leave a comment