ଶ୍ରୀଜୀଉଙ୍କ ବ୍ରହ୍ମ ବିଭ୍ରାଟ ଘଟଣା, ୧୧ ସେବାୟତଙ୍କୁ ନୋଟିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜଗନ୍ନାଥଙ୍କ ନବକଳେବର ବେଳେ ଭକ୍ତଙ୍କ ଭାବାବେଗ ସହ ଖେଳି ବିଭ୍ରାଟ ସୃଷ୍ଟି କରିଥିବା ଜଣେ ମହାରଣା ସେବକ ଏବଂ ୧୦ ଦଇତାପତି ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ସେମାନଙ୍କ ଉତ୍ତରରେ ଶ୍ରୀମନ୍ଦିର ପ୍ରଶାସନ ଯଦି ସନ୍ତୁଷ୍ଟ ନ ହୁଏ ତେବେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ । ଏପରି କି ଆବଶ୍ୟକ ହେଲେ ଫୌଜଦାରି ମାମଲା ରୁଜୁ କରାଯାଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ୧୧ ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ମହାରଣା, ୨ ଜଣ ବାଡ଼ଗ୍ରାହୀ, ନିଯୋଗର ଦୁଇ ମୁଖିଆ, ଫୋନ୍ ଯୋଗେ ଶ୍ରୀମନ୍ଦିର ପରିସରରୁ ତଥ୍ୟ ପ୍ରଘଟ କରିଥିବା ଜଣେ ଯୁବ ଦଇତା ରହିଛନ୍ତି । ତେବେ ନୋଟିସ ଜାରି କରିବା ପରେ ବି ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି ।
ସୂଚନାଯୋଗ୍ୟ, ନବକଳେବର ପାଇଁ ୨୦୧୫ ଜୁନ ୧୫ରେ ମହାପ୍ରଭୁଙ୍କ ଘଟ ପରିବର୍ତ୍ତନ ନିମନ୍ତେ ସମୟ ନିର୍ଘଣ୍ଟ ହୋଇଥିଲା । କିନ୍ତୁ ଘଟ ସ୍ଥାପନରେ ଅହେତୁକ ବିଳମ୍ବ ସାଙ୍ଗକୁ ବିଭ୍ରାଟ ହୋଇଥିଲା ।