ସ୍କୁଲ ହଷ୍ଟେଲରେ ପ୍ରସବ କଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଜଣେ ଯୁବକ ଅଟକ । ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ଏକ ବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ୮ମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ପୋଲିସ ଶ୍ରବଣ କୁମାର ପ୍ରଧାନ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆବାସିକ ସ୍କୁଲରେ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ରବିବାର ଭୋରରୁ ଏକ ଶିଶୁକନ୍ୟା ଜନ୍ମଦେଇଥିଲେ ।

ଏହାକୁ ନେଇ ଅଞ୍ଚଳବାସୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଦ୍ୟାଳୟର ମୁଖ୍ୟଫାଟକ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀଶିକ୍ଷକମାନଙ୍କ ବଦଳି ଦାବି କରିଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ୫୯ନଂ‌. ଜାତୀୟ ରାଜପଥର ଚାରିଛକଠାରେ ଟାୟାରଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ବାଲିଗୁଡା ଥାନାକୁ ନେଇଥିବା ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତି । ବାଲିଗୁଡା ଏସଡିପିଓ ନୀତିନ କୁଶଲକର ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଦାୟିତ୍ୱ ନେବା ସହ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଛନ୍ତି ।

Leave a comment