ବେଆଇନ ଜରିମାନା ଆଦାୟ କରୁଛି ପୋଲିସ: ଏସ୍ପି, ଡିସିପିଙ୍କୁ ପରିବହନ କମିଶନରଙ୍କ ଚିଠି
ଓଡିଶା ଫାଷ୍ଟ(ବ୍ୟୁରୋ): କ୍ଷମତା ନ ଥାଇ ମୋଟର ଭେଇକିଲ (ଏମ୍ଭି) ଆକ୍ଟର କେତେକ ସେକ୍ସନ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ପୋଲିସ ଜରିମାନା ଆଦାୟ କରୁଛି । ପୋଲିସର ଏହି ବେଆଇନ କାରବାର ନେଇ ଅଭିଯୋଗ ଆସିବା ପରେ ମଙ୍ଗଳବାର ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଏସ୍ପି ଓ ଡିସିପିଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖାଯାଇଛି । ପରିବହନ କମିଶନର ସଞ୍ଜୀବ ପଣ୍ଡା ଚିଠିରେ ଜଣାଇଛନ୍ତି ଯେ, କେତେଜଣ ପୋଲିସ ଅଫିସର ଏମ୍ଭି ଆକ୍ଟ ର କେତେକ ସେକ୍ସନ ଆଧାରରେ ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ କରୁଥିବା ସୂଚନା ମିଳିଛି । ଏହା ପୋଲିସ କ୍ଷମତାର ବାହାରେ । ତେଣୁ ପୋଲିସ କେବଳ ଏମ୍ଭି ଆକ୍ଟର ସେକ୍ସନ ୧୭୭ (ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ଯାଞ୍ଚ), ୧୭୯ (ଟ୍ରାଫିକ୍ ନିୟମ ପାଳନ ନ କରିବା), ୧୮୩(୧) ଓ (୨) (ଅଧିକ ବେଗରେ ଗାଡି ଚଳାଇବା) ଅନୁସାରେ ଜରିମାନା ଆଦାୟ କରିବାର କ୍ଷମତା ପୋଲିସକୁ ଦିଆଯାଇଛି । ସହରାଞ୍ଚଳରେ ଜଣେ ଏସ୍ଆଇ ର଼୍ୟାଙ୍କର ପୋଲିସ ଅଧିକାରୀ ଓ ଗ୍ରାମାଞ୍ଚଳରେ ଜଣେ ଏଏସ୍ଆଇ ର଼୍ୟାଙ୍କର ଅଧିକାରୀ ଏହି ଜରିମାନା ଆଦାୟ କରିପାରିବେ । ହେଲେ ପରିବହନ ବିଭାଗରୁ ମିଳିଥିବା ସୂଚନାନୁଯାୟୀ, ପୋଲିସ ଓଭର ଲୋଡିଂ ଥିଲେ, ଗାଡିର ଫିଟ୍ନେସ୍ ନ ଥିଲେ ଓ ଭୁଲ୍ ରାସ୍ତାରେ ଗାଡି ଚଳାଉଥିଲେ ଚାଳକଙ୍କଠାରୁ ମନଇଚ୍ଛା ଜରିମାନା ଆଦାୟ କରୁଛି । ଏଥିପାଇଁ ପୋଲିସର କ୍ଷମତା ନାହିଁ। କିନ୍ତୁ ପୋଲିସ ଚାହିଁଲେ ଏହି ନିୟମ ଉଲଂଘନକାରୀଙ୍କ ବିରୋଧରେ ଏକ ପ୍ରୋସିକ୍ୟୁଶନ ରିପୋର୍ଟ(ପିଆର୍) କୋର୍ଟକୁ ପଠାଇ ପାରିବ ।