କରୋନା ସଂକ୍ରମଣକୁ ନେଇ ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ଏହି ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । କିନ୍ତୁ, ଏହି ଲକ୍‌ ଡାଉନ୍‌ କାରଣରୁ ଅର୍ଥନୀତି ନିମ୍ନଗାମୀ ହୋଇ ଏକ ପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇସାରିଛି । ଲକ୍‌ ଡାଉନ୍‌ କଟକଣା ପାଇଁ ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହେଉଅଛି । ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଲକ୍‌ ଡାଉନ୍‌ ନିୟମ କୋହଳ କରିବାକୁ ଚିନ୍ତା କରୁଛନ୍ତି । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସମସ୍ତ ଦେଶକୁ ସତର୍କ କରାଇ ଦିଆଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ କହିଛନ୍ତି, ଯେଉଁ ଦେଶଗୁଡ଼ିକ ଭାବୁଛନ୍ତି ଯେ ସେମାନେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରି ନେଇଛନ୍ତି, ସେମାନେ ଭୁଲ୍‌ । କାରଣ କରୋନା ଆମ ସହ ବହୁ ଦିନ ଯାଏଁ ରହିବ । ତେଣୁ ଆମକୁ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡ଼ିବ । ଯଦି ଆମେ କିଛି ବି ତ୍ରୁଟି କରିବା, ଏହି ମହାମାରୀ ଭୟଙ୍କର ରୂପ ନେଇ ସମଗ୍ର ମାନବଜାତିର ସ୍ଥିତି ପାଇଁ ବିପଦ ସୃଷ୍ଟି କରିବ । ଅନେକ ଦେଶ ଏବେ ବି କରୋନାକୁ ମୁକାବିଲା କରିବା ପାଇଁ ଆରମ୍ଭ କରିଥିବା ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ ରହିଛନ୍ତି । ଏହାକୁ ଲକ୍ଷ୍ୟ କରି ଆମେ ଯଦି ଭାବିବା ଯେ କରୋନା ନିୟନ୍ତ୍ରଣକୁ ଆସି ଯାଇଛି, ତା’ହେଲେ ଏହା ଆଦୌ ସମୀଚୀନ ନୁହେଁ । ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ପକ୍ଷରୁ ସମସ୍ତ ଦେଶକୁ ଜାନୁଆରୀ ୩୦ରେ ବିଶ୍ୱରେ କରୋନା ପାଇଁ ଜରୁରୀକାଳୀନ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲା ।

ଏହାଦ୍ୱାରା ସମସ୍ତେ କରୋନା ଆସିବା ପୂର୍ବରୁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ପଶ୍ଚିମ ୟୁରୋପରେ ମହାମାରୀ କରୋନା ସ୍ଥିତି ସ୍ଥିର ରହିଥିବା ବେଳେ ଆଫ୍ରିକା, କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା ଏବଂ ପୂର୍ବ ୟୁରୋପରେ କରୋନା ସଂକ୍ରମଣ ଘାତକ ରୂପ ନେଇସାରିଛି । ଆମକୁ ବହୁ ଦିନ ଯାଏଁ ଏହି ମହାମାରୀ ବିରୁଦ୍ଧରେ ଲଢ଼େଇକୁ ଜାରି ରଖିବାକୁ ପଡ଼ିବ । ତେଣୁ କୌଣସି ଦେଶ ଏହି ମହାମାରୀର ମୁକାବିଲା ନେଇ ସାମାନ୍ୟତମ ତ୍ରୁଟି କରନ୍ତୁ ନାହିଁ, ନହେଲେ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ ସତର୍କ କରାଇ ଦେଇଛନ୍ତି ।

Leave a comment