୮ ଘଣ୍ଟା ବଦଳରେ ୧୨ଘଣ୍ଟା କାମ କରିବେ କର୍ମଚାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ବିଭିନ୍ନ ସଂସ୍ଥାରେ ଏଣିକି ୱାର୍କିଂ ଆୱାର ୮ ଘଂଟା ବଦଳରେ ୧୨ଘଂଟା ହେବ। ‘କରୋନା’ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି କେତେକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ଶ୍ରମିକମାନଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ଶିଳ୍ପ ଉତ୍ପାଦନ କମିଥିବାରୁ ଚାହିଦା ପୂରଣ ନିମନ୍ତେ ଏଭଳି ଶ୍ରମ ଅବଧି ବୃଦ୍ଧିର ଆବଶ୍ୟକତା ରହିଛି। ଏହାଫଳରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୪୮ଘଂଟା କାମ କରୁଥିଲେ ଏଣିକି ସେମାନେ ୭୨ଘଂଟା କାମ କରିବେ। ଦୈନିକ ୧୨ଘଂଟା ୱାର୍କିଂ ଆୱାର ଦୁଇଟି ସିଫ୍ଟରେ କରାଯିବ। ପ୍ରଥମ ୬ ଘଂଟା ପରେ ୩୦ମିନିଟର ବିରତି ମିଳିବ। ଅର୍ଥାତ୍ ୧୨ଘଂଟା ମଧ୍ୟରେ ୧ ଘଂଟାର ବିରତି ମିଳିବ।
ଅଧିକ ୪ ଘଂଟା କାମ କରିବା ପାଇଁ ଓଭର ଟାଇମ୍ ସୁବିଧା ବା ଅଧିକ ମଜୁରୀ ମଧ୍ୟ ମିଳିବ। ସପ୍ତାହକୁ ଜଣେ କର୍ମଚାରୀଙ୍କୁ ସର୍ବାଧିକ ୨୪ଘଂଟାର ଓଭର ଟାଇମ୍ ମଜୁରୀ ମିଳିପାରିବ। ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ କେତେକ କଟକଣା ରହିବ। ସେମାନେ କର୍ମକ୍ଷେତ୍ରରେ ରାତି ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିପାରିବେ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।
ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଲକଡାଉନ୍ ଯୋଗୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଏହି ସମୟରେ ୮ଘଂଟାର କାମ କଲେ ଚାହିଦା ପୂରଣ କରିବା ସମ୍ଭବପର ହେବ ନାହିଁ ବୋଲି ଶିଳ୍ପାନୁଷ୍ଠାନଗୁଡ଼ିକ ମତ ଦେଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶିଳ୍ପାନୁଷ୍ଠାନଗୁଡ଼ିକର ଅନୁରୋଧକୁ ବିଚାର କରି ରାଜ୍ୟ ସରକାର ଆଜି ଶିଳ୍ପାନୁଷ୍ଠାନର ଶ୍ରମିକମାନଙ୍କ କାମ କରିବାକୁ ଅବଧି ବଢ଼ାଇଛନ୍ତି। ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି ହେବ ବୋଲି ଶ୍ରୀ ସିଂ କହିଛନ୍ତି।