କାହା ଛତ୍ର ଛାୟାରେ ଇତିଶ, ପୋଲିସ ଡରୁଛି କାହିଁକି?
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ): ମହିଳାଙ୍କ ଏତଲାକୁ ତୁରନ୍ତ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ କମିଶନରେଟ ପୋଲିସ ପାତର-ଅନ୍ତର ନୀତି କରୁଥିବା ଅଭିଯୋଗ ହେଉଛି । କମିଶନରେଟ ପୋଲିସର ପାତର-ଅନ୍ତର ନୀତି । କିଛି ମହିଳାଙ୍କ ଏତଲାକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଆଉ କିଛି ଘଟଣାକୁ ଚାପି ଦେବାକୁ କରୁଛି ଉଦ୍ୟମ । ଗତ ଜୁଲାଇ ୧୫ ତାରିଖ ଦିନ ବନଜା ଜେନା ଇତିଶଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ଉକ୍ତ ଏତଲାକୁ ଭିତି କରି କେସ୍ ନମ୍ବର ୩୭୬ ଦଫା ୨୯୪, ୨୯୬, ୭୯, ୩୫୬(୨), ୩୫୨, ୩୦୮(୨), ୩(୫)ରେ ମାମଲା ରୁଜୁ କରିଥିଲା । ମାତ୍ର ଏତଲାକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ଅପରପକ୍ଷରେ ଗିରଫ ହେବା ଭୟରେ ଇତିଶ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଅଗଷ୍ଟ ୧୪ ତାରିଖ ହାଇକୋର୍ଟରେ ଇତିଶଙ୍କର ଜାମିନ ଆବେଦନର ଶୁଣାଣୀ କରାଯାଇଥିଲା । ବିଚାରପତି ଭି. ନରସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହାକୁ ଖାରଜ କରିଦେଇଛନ୍ତି । ପରେ ଆଦେନକାରୀଙ୍କ ଓକିଲ ଦରଖାସ୍ତକୁ ଫେରାଇ ନେଇଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି କି ହାଇକୋର୍ଟ ଇତିଶଙ୍କ ଅଗୁଆ ଜାମିନ ଆବେଦନ ଖାରଜ କରିବାର ଚାରିଦିନ ବିତି ଯାଇଥିଲେ ବି ପୋଲିସ ତାଙ୍କୁ ଗିରଫ କରୁନି କାହିଁକି । ତାଙ୍କୁ କାହିଁକି ଘଣ୍ଟ ଘୋଡାଉଛି ପୋଲିସ । ପୋଲିସ ଓ ଇତିଶ ମଧ୍ୟରେ ଏମିତି କି ମଧୁଚନ୍ଦ୍ରିକା ଅଛି ଯେ ତାଙ୍କୁ ଖୋଲା ବୁଲିବାକୁ ଛାଡି ଦେଇଛି । ଯାହା ଏବେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ଇତିଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ ହେବାର ଏକମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିଯୋଗକାରିଣୀ ବନଜା ଜେନା । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, ଇତିଶ ଏମିତି କେଉଁ ନେତାଙ୍କ ଛତ୍ରଛାୟା ତଳେ ଅଛନ୍ତି କି, ଯେ ତାଙ୍କ ଦେହରେ ହାତ ମାରି ପାରୁନି ପୋଲିସ । ଏବେ ଦେଖିବାକୁ ବକିରହିଲା କେତେ ଦିନ ପରେ ପୋଲିସ ର ନିଦ ଭାଙ୍ଗିବ ଏବଂ ଇତିଶଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।