୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ କରିଥିବା ଭାସ୍କର ସାହୁ କିଏ ? ସେ ଏଭଳି କରିବା ପଛରେ ରାଜନୀତି ନା ଆଉ କିଛି ?
ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ । ପୁରୀ ଜିଲ୍ଲା ସତ୍ୟବାଦୀରେ ଏପରି କାଣ୍ଡ ଭିଆଇଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । କାଳିମାଡ଼ ପରେ ତାଙ୍କୁ ଗିରଫ କରିଛି ପୁଲିସ । ଏହି ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ସୋସିଆଲ୍ ମିଡିଆରେ ଭାସ୍କରଙ୍କ ସଂପର୍କରେ ଜାଣିବାକୁ ଉକ୍ରଣ୍ଠା ବୃଦ୍ଧି ପାଇଛି ।
ଭାସ୍କର ସାହୁଙ୍କ ଫେସବୁକ୍ ପ୍ରୋଫାଇଲରେ ଲେଖିଛନ୍ତି, “ସମାଜର ସାଧାରଣ ଅସୁବିଧା ଦୂରକରିବା ସହ ତା’ର ଉନ୍ନତି, ପ୍ରଗତି କେବଳ ଦାୟିତ୍ୱ ଓ କର୍ତବ୍ୟ ନୁହେଁ, ମୋର ଧର୍ମ ।” ଭାସ୍କର ସାହୁ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବର ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ଭାବେ ମଧ୍ୟ ସେ ନିଜର ପରିଚୟ ଦିଅନ୍ତି । ନିକଟରେ ପୁରୀ ଜିଲ୍ଲାରେ ସୂଚନା ରଥ ବୁଲାଇଥିଲେ । ଏପରିକି ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ନିର୍ବାଚନ ଲଢ଼ିଥିଲେ । ସେ କେଉଁ ଦଳ ପାଇଁ କାର୍ଯ୍ୟ କରନ୍ତି, ଏ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ତେବେ ବିଜେଡି ନେତା ଅଭିଯୋଗ କରିଛନ୍ତି, ସଚିବଙ୍କ ଉପରେ କାଳିମାଡ଼ ଘଟଣାରେ ରହିଛି ବିରୋଧୀଙ୍କ ହାତ ।
ଏପଟେ ଭାସ୍କର ସାହୁଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୁଲିସ । ତାଙ୍କ ସଂପର୍କରେ ପୁଲିସ ପକ୍ଷରୁ କିଛି କୁହାଯାଇନାହିଁ । କଣାସର ବଡ଼ାଳ ଗାଁକୁ ଯାଇ ଭାସ୍କରଙ୍କ ପରିବାର ଲୋକଙ୍କୁ ପୁଲିସ ପଚରାଉଚରା କରିବା ସହ ତାଙ୍କ ଫୋନକୁ ଜବତ କରିଛି ।
ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ୫-ଟି ସଚିବ । ବିଭିନ୍ନ ସ୍ଥାନରେ ଅଣ୍ଡାମାଡ଼ ଭଳି ଘଟଣା ସାମନାକୁ ଆସିଛି । କିନ୍ତୁ ସଚିବଙ୍କୁ କାଳିମାଡ଼ କରି ହଇଚଇ ଖେଳାଇ ଦେଇଛନ୍ତି ଭାସ୍କର । କାହା ଉପରେ କାଳି ପକାଇବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । କାହିଁକି ସେ ଏପରି ନିଷ୍ପତି ନେଲେ, ରାଜନୈତିକ ଉଦ୍ଦେଶ୍ୟ ନା’ ବ୍ୟକ୍ତିଗତ କାରଣ ରହିଛି, ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।