ବଦଳିଲା ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ସ୍ବର; ଭାରତ ସହ ଆମେ ଶାନ୍ତି ଚାହୁଁଛୁ

0

ଦେଶର ଅର୍ଥନୀତି ତାସ୍‌ ପତା ଭଳି ଭୁଶୁଡି ପଡିବା ପରେ ପଡୋଶୀ ଦେଶ ପାକିସ୍ତାନର ବୁଦ୍ଧି ପଶିଛି । ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ଦେଶର ଅଠାତ୍‌ ଜ୍ଞାନ ଉଦୟ ହେବା ପଛର କାରଣ ବି ସମସ୍ତଙ୍କୁ ଚକିତ କରିଛି ।

ଭାରତର ଛାଇ ଦେଖିଲେ ଯାହାର ନାହି ଡିଏଁ ଏବେ ସେ ଦେଶ କହୁଛି ‘ଭାରତ ସହ ଆମେ ଶାନ୍ତି ଚାହୁଁଛୁ’। ଅର୍ଥାତ୍‌ ସବୁବେଳେ ଭାରତକୁ ଟାର୍ଗେଟ୍‌ କରିଆସୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ସ୍ବର ବଦଳିଛି । ସରିଫ୍‌ଙ୍କ ସାକ୍ଷାତକାରକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ଦୁବାଇର ଅଲ୍‌ ଆରବିୟା ଟିଭିକୁ ସାକ୍ଷାତକାର ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ କହିଛନ୍ତି, ‘ଭାରତ ସହିତ ଗମ୍ଭୀର ଏବଂ ଆନ୍ତରିକତାର ସହିତ ଆଲୋଚନା କରିବାକୁ ଚାହୁଁଛୁ । କାଶ୍ମୀର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିବାକୁ ରାଜି ଅଛୁ । ତିନି ତିନିଟି ଯୁଦ୍ଧ ପରେ ପାକିସ୍ତାନ ଉଚିତ୍ ଶିକ୍ଷା ପାଇଛି । କିନ୍ତୁ ଏବେ ପଡୋଶୀ ଦେଶ ସହିତ ଶାନ୍ତି ଚାହୁଁଛୁ’।

ଶେହବାଜ ସରିଫ୍‌ କହିଛନ୍ତି, ‘ଜାମ୍ମୁ କାଶ୍ମୀରରେ ଜାରି ରହିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୋଟିଏ ଟେବୁଲରେ ବସି ଆଲୋଚନା କରିବାକୁ ଚାହୁଁଛୁ । ଶାନ୍ତିପୂର୍ଣ୍ଣ ଭାବେ ବଞ୍ଚିବା ଓ ଆଗକୁ ବଢିବା କିମ୍ବା ଉଭୟ ଉଭୟଙ୍କ ସହ ଲଢିବା ତାହା ଆମ ଉପରେ ନିର୍ଭର କରେ’।

ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ପାକିସ୍ତାନ ପାଖରେ ପରମାଣୁ ଅସ୍ତ୍ର ରହିଛି । ଯଦି ଯୁଦ୍ଧ ହୁଏ ତେବେ ପରବର୍ତ୍ତୀ ସମୟରେ କହିବାକୁ କିଏ ଥିବେ କି ନାହିଁ ତାହା ସନ୍ଦେହ । ତେଣୁ ଆମେ ବୋମା କିମ୍ବା ଅସ୍ତ୍ରଶସ୍ତ୍ର ନଷ୍ଟ କରିବାକୁ ଚାହୁଁନୁ । ଶାନ୍ତି ପାଇଁ ନିବେଦନ କରୁଛୁ ଏବଂ ଗୋଟିଏ ଟେବୁଲରେ ବସି ଯାହା ସମାଧାନର ରାସ୍ତା ବାହାରିବ ତାହାକୁ ମାନିବାକୁ ପ୍ରସ୍ତୁତ ଅଛି । ଜାମ୍ମୁ କାଶ୍ମୀର ପ୍ରସଙ୍ଗ ତୁରନ୍ତ ସମାଧାନ ହୋଇଗଲେ ସବୁ କିଛି ଠିକ୍‌ ହୋଇଯିବ ଏବଂ ଏଥିପାଇଁ ପିଏମ୍‌ ମୋଦିଙ୍କ ସହ ବୈଠକ କରିବାକୁ ଚାହୁଁଛୁ’।

Leave a comment