ମାର୍ଚ୍ଚ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଶେଷ ପାଇଁ ଟାର୍ଗେଟ : ସମୀକ୍ଷା କଲେ ୫-ଟି ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା ମାର୍ଚ୍ଚ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଶେଷହେବ। ଏହି ପରିପ୍ରେକ୍ଷୀରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ପୁରୀ ଗସ୍ତରେ ଆସି ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟର ସମୀକ୍ଷା କରିବା ପରେ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ୍ ଦେଇଛନ୍ତି। ଏଥିସହ ଶ୍ରୀ ପାଣ୍ଡିଆନ୍ ଗୋଶାଳା ଏବଂ ବଡ଼ଦାଣ୍ଡ ଭିକାରୀଙ୍କ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ।

ବଡ଼ଦାଣ୍ଡକୁ ସଫାସୁତୁରା ରଖିବା ପାଇଁ ବୁଲା ଗାଈଗୋରୁଙ୍କ ପାଇଁ ଗୋଶାଳା ନିର୍ମାଣ ହୋଇଛି। ବର୍ତ୍ତମାନ ସୁଦ୍ଧା ୭୦୦ ଗାଈଗୋରୁଙ୍କୁ ସେଠାକୁ ସ୍ଥାନାନ୍ତର କରାଗଲାଣି। ଆସନ୍ତା ମାସ ସୁଦ୍ଧା ଆଉ ୪୦୦ ଗାଈଗୋରୁଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯିବ।

ସେହିଭଳି ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକରି ପେଟ ପୋଷୁଥିବା ଭିକାରୀମାନଙ୍କୁ ବିଭିନ୍ନ ଅନୁଷ୍ଠାନରେ ଥଇଥାନ କରାଯାଉଛି। ରାଜ୍ୟ ସରକାରଙ୍କ ଅର୍ଥରେ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୫୦୦ ଭିକାରୀଙ୍କୁ ଉଦ୍ଧାର କରାଗଲାଣି। ସେମାନଙ୍କ ମଧ୍ୟରୁ ୧୫୦ ଭିକାରୀଙ୍କୁ ସେମାନଙ୍କ ପରିବାର ପାଖକୁ ଫେରାଇ ଦିଆଯାଇଛି। ପୁରୀ ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ବାଙ୍କୀ ମୁହାଣ ଏବଂ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ପରିଦର୍ଶନ କରି ସେଠାରେ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ, ବିଏମସି ଓ ସିଏମସି କମିଶନଙ୍କର ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a comment