୫ଟି ସଚିବଙ୍କ ବରଗଡ ଗସ୍ତ; ଗଙ୍ଗାଧର ମେହେର ଉଠା ଜଳସେଚନର ରିଭର କ୍ରସିଂ କାର୍ଯ୍ୟର କଲେ ପରିଦର୍ଶନ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ବରଗଡ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ଗିରସୁଲ ଓ ଜିରା ନଦୀ ଠାରେ ଗଙ୍ଗାଧର ମେହେର ଉଠା ଜଳସେଚନର ରିଭର କ୍ରସିଂ କାର୍ଯ୍ୟ ପରିଦର୍ଶନ କରିଥିଲେ। ସେ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରି ପ୍ରକଳ୍ପର କାର୍ଯ୍ୟ ଶେଷ ହେବାକୁ ଯାଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ଜୁଲାଇ ମାସରେ ଏହା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଇଛି । ପର୍ଯ୍ୟାୟକ୍ରମେ ସେପ୍ଟେମ୍ବରରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ୧୬୭୭ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହା ଦ୍ବାରା ବିଜେପୁର, ବରପାଲି, ସୋହେଲା ଏବଂ ବରଗଡ ବ୍ଲକରେ ୨୫,୬୦୦ ହେକ୍ଟର ଜଳସେଚନ ହୋଇପାରିବ।
ସେହିପରି ନୃସିଂହନାଥ ମନ୍ଦିର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ୨୨.୭୮ କୋଟି ଟଙ୍କା ଯୋଗାଇ ଦିଆଯାଉଛି । ଡିସେମ୍ବର ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି।
ଶ୍ରୀ ପାଣ୍ଡିଆାନ ସୋହେଲା ମେଡିକାଲକୁ ଯାଇ ସେଠାରେ ଜାରି ରହିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ରୋଗୀମାନଙ୍କ ସହ କଥାବାର୍ତ୍ତା ହେବା ସହ ସେବାର ଗୁଣବତ୍ତା ବିଷୟରେ ପଚାରି ବୁଝିଥିଲେ। ଏହା ପରେ ସୋହେଲା, ଅମ୍ବାଭୋନା ଏବଂ ପାଦାମପୁରରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ସେଠାରେ ଲୋକମାନଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପାଇକାମାଲର ହାଇସ୍କୁଲ ପରିଦର୍ଶନ କରି ଛାତ୍ରମାନଙ୍କ ସହ ଭାବ ବିନିମୟ କରିବା ସହ କସ୍ତ୍ରୁରବା ଗାନ୍ଧୀ ମାତୃନିକେତନ ପରିଦର୍ଶନ କରିଥିଲେ।
ଏହି ଗସ୍ତ ସମୟରେ ମା’ ଦୁର୍ଗା ମନ୍ଦିର, ଅଲେଖ ମହିମା ମନ୍ଦିର ସହ ବିଭିନ୍ନ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହିତ ଆଲୋଚନା କରିଥିଲେ। ଅଲେଖ ମହିମା ମନ୍ଦିରରେ ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ।
୫ଟି ସଚିବଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡା ସଚିବ ଆର ଭିନିଲ କ୍ରିଷ୍ଣା, ଆଇଜି ଦୀପକ କୁମାର, ବରଗଡ ଜିଲ୍ଲାପାଳ ମୋନିଶା ବାନାର୍ଜୀ, ବରଗଡ ଏସପି ପ୍ରହ୍ଲାଦ ସାହି ମୀନା ଏବଂ ଜିଲ୍ଲା ସ୍ତରର ଅଧିକାରୀମାନେ ଯୋଗ ଦେଇଥିଲେ।

Leave a comment