ଶ୍ରୀମନ୍ଦିର ଘଣ୍ଟିଦ୍ବାର ନିକଟରେ ପାନ ଛେପ ଦେଖି ରାଗିଲେ ପଣ୍ଡିଆନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ କାହିଁକି ରାଗିଲେ ତାକୁ ନେଇ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଚାଲିଛି ଆଲୋଚନା। ତେବେ ପାଣ୍ଡିଆନଙ୍କ ରାଗର କାରଣ ଶ୍ରୀମନ୍ଦିର ଭିତରେ ପଡ଼ିଥିବା ପାନ ଛେପ ବୋଲି ଜଣାପଡ଼ିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଶ୍ରୀ ପାଣ୍ଡିଆନ ଶ୍ରୀମନ୍ଦିର ଘଣ୍ଟିଦ୍ବାର ନିକଟରେ ପାନ ଛେପ ପଡ଼ିଥିବା ଦେଖିଥିଲେ। ପାଣ୍ଡିଆନ ଏହା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ପରିସରରେ ଥିବା ଶାଖା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦାୟିତ୍ବରେ ଥିବା କର୍ମଚାରୀ କିଏ ବୋଲି ପ୍ରଶ୍ନ କରିଥିଲେ।
ସୂଚନାଯୋଗ୍ୟ,ଗତ ଶନିବାର ଦିନ ମଧ୍ୟ ସେଠାରେ ପାନ ଛେପ ଦେଖି ବିରକ୍ତି ପ୍ରକାଶ କରିଥିଲେ। ବିରକ୍ତି ପ୍ରକାଶ କରିବା ସହ ଚୂନ, ବାଲିଟି ଦିଅ ନିଜେ ସଫା କରିଦେବି ବୋଲି ମଧ୍ୟ କହିଥିଲେ। ଆହୁରି ମଧ୍ୟ କହିଲେ, ଆଜି କହିକି ଯାଉଛି, ଯଦି ଆର ଥରକୁ ଆସିଲା ବେଳେ ଶ୍ରୀମନ୍ଦିର ପରିସରରେ କେଉଁଠି ପାନ ଛେପ ପଡ଼ିଥିବାର ଦେଖେ, କାହାକୁ କିଛି କହିବିନି, ଝାଡ଼ୁରେ ନିଜେ ଧୋଇଦେବି। ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ପାନ ଗୁଟ୍ଖା ନେବାରେ ପ୍ରତିବନ୍ଧକ ରହିଛି, ଧରାପଡ଼ିଲେ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ଏଭଳି ସ୍ଥିତିରେ କିଏ ପାନ ନେଇ ମନ୍ଦିର ଭିତରକୁ ଯାଉଛନ୍ତି ବୋଲି ପ୍ରଶ୍ନ ଉଠିଛି। ଏପରିକି ମନ୍ଦିର ଭିତରକୁ ପାନ ଗୁଟୁଖା ନେଇ କରି ଯାଉଥିବା ବେଳେ ଧରାପଡ଼ିଲେ ଏକ ହଜାର ଟଙ୍କା ଜରିମାନା ବ୍ୟବସ୍ଥା ଥିଲା। ଏ ନେଇ ସିଂହଦ୍ବାରରେ ଫଳକ ମଧ୍ୟ ଲାଗିଛି। ଦିନେ ଦୁଇ ଦିନ ନିୟମ କଡ଼ାକଡ଼ି କରି ପ୍ରଶାସନ ପୁଣି ଏହାକୁ ଭୁଲିଗଲା।