ବିଜେପୁର ଉପନିର୍ବାଚନ ପୂର୍ବରୁ ହିଂସା, ଭୁଜାଲି ଚୋଟ ଖାଇଲେ ବିଜେପି କର୍ମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପୂର୍ବରୁ ହିଂସା । ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ବିଜେପି କର୍ମୀ ଆହତ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

ସୂଚନା ଅନୁଯାୟୀ, ବିଜେପୁର ପଡ଼ା ଗ୍ରାମର ମନୋରଞ୍ଜନ ମେହେର ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଗତ ରାତିରେ ମନୋରଞ୍ଜନ ନିଜର ୨ ବନ୍ଧୁଙ୍କ ସହ ସୋହେଲାରୁ ନିଜ ଗାଁକୁ ଫେରୁଥିବା ସମୟରେ ବିଜେପୁର କନାପାଲି ଛକରେ ୨ ବାଇକ୍‌ରେ ୪ରୁ ଊର୍ଦ୍ଧ୍ୱ ଯୁବକ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ମନୋରଞ୍ଜନଙ୍କ ସାଙ୍ଗଦ୍ୱୟଙ୍କୁ ଠେଙ୍ଗାରେ ପିଟିଥିବା ବେଳେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଜେପୁର ଡାକ୍ତରଖାନା ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଏହି ଆକ୍ରମଣ ନେଇ ବିଜେପି ପକ୍ଷରୁ ବିଜେପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ମୁହଁ ଘୋଡ଼ାଇ ଦେଇଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ।

ପୂର୍ବରୁ ମଧ୍ୟ ବିଜେପୁର ଉପନିର୍ବାଚନ ବେଳେ ମନୋରଞ୍ଜନଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା । ଉକ୍ତ ଆକ୍ରମଣ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ଆଜିର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ କହିଛନ୍ତି, “ବିଜେଡି ହିଂସା କରି ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା ଚଳାଇଛି” । ମନୋରଞ୍ଜନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ  ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି । ଅନ୍ୟପଟେ ଏହି ଘଟଣା ସଂକ୍ରାନ୍ତରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a comment