ବିଦେଶରେ ଶୋଭା ପାଇଲା ଓଡିଶା କୀର୍ତ୍ତିରାଜି: ଆମେରିକା ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆମେରିକାରେ ସ୍ଥାପିତ ହୋଇଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ଚକର ପ୍ରତିକୃତି । ନ୍ୟୁୟର୍କ ସହରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟାଇମ୍ସ ସ୍କୋୟରର ଶୋଭା ବଢ଼ାଉଛି ଏହି କୋଣାର୍କ ଚକ । ସ୍ୱାଧୀନତା ଦିବସ ଅବସରରେ ଏହାକୁ ଅନାବରଣ କରିଛନ୍ତି ସେଲିବ୍ରିଟି ସେଫ ବିକାଶ ଖନ୍ନା । ବିକାଶ ଖନ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କଳାକୃତିକୁ ନିର୍ମାଣ କରିଛନ୍ତି ଯାଜପୁର ଲଳିତଗିରିର ଶିଳ୍ପୀ ।
ଆମେରିକା ନ୍ୟୁୟର୍କରେ ଥିବା ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ । ପ୍ରସିଦ୍ଧ ସେଫ ବିକାଶ ଖାନ୍ନା ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ଏହି ଚକର ପ୍ରତିକୃତି ସ୍ଥାପନ କରିଛନ୍ତି । ମଙ୍ଗଳବାରଦିନ ୭୭ ତମ ସ୍ୱାଧୀନତା ଦିବସରେ ଏହାର ଅନାବରଣ କରିଛନ୍ତି ଖାନା । ଟାଇମ୍ସ ସ୍କୋୟାରକୁ ପ୍ରତିଦିନ ସାରା ବିଶ୍ୱରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ଏହାର ନାଁ ବି ରହିଛି । ଯେଉଁମାନେ କୋଣାର୍କ ଆସିବାର ସୁଯୋଗ ପାଇନାହାନ୍ତି ସେମାନେ ଆମେରିକାରେ ଓଡିଆ କଳାକୃତି ଓ ଐତିହ୍ୟର ଝଲକ ପାଇବେ । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ଭାରତୀୟ ଓ ଆମେରିକୀୟ ଯୋଗଦେଇଥିଲେ ।
ଯାଜପୁର ଜିଲ୍ଲା ଲଳିତଗିରି ସ୍ଥିତ କାରିଗରଙ୍କ ଦ୍ୱାରା କୋଣାର୍କ ମନ୍ଦିର ଚକର ପ୍ରତିକୃତି ନିର୍ମାଣ କରାଯାଇଛି ବଉଳମାଳ ପଥରରେ ନିର୍ମିତ ଏହି କଳାକୃତି ନିର୍ମାଣରେ ଅମରେଶ ଚନ୍ଦ୍ର ବିନ୍ଧାଣି ଓ ତାଙ୍କ ସହ ଆଠଜଣ କାରିଗର ଦିନରାତି ପରିଶ୍ରମ କରି ଏହି କଳାକୃତି ନିର୍ମାଣ କରିଛନ୍ତି । ୨୦୨୨ ଏପ୍ରିଲ ମାସରୁ ଏହି ମୂର୍ତିର ନିର୍ମାଣ ଆରମ୍ଭ ହୋଇ ଜୁନ ମାସରେ ଶେଷ ହୋଇଥିଲା । ଆଠ ଫୁଟ ଲମ୍ବ ଓ ଛଅ ଫୁଟ ଉଚ୍ଚତାର ଏହି କଳାକୃତି ଏବେ ଟାଇମ୍ସ ସ୍କୋୟାରରେ ଶୋଭା ପାଉଥିବାରୁ କାରିଗର ଖୁସି ପ୍ରକାଶ କରିଛନ୍ତି ।
ଟାଇମ୍ସ ସ୍କୋୟାରରେ କୋଣାର୍କ ଚକର ପ୍ରତିକୃତି ସ୍ଥାପନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସମଗ୍ର ରାଜ୍ୟ ପାଇଁ ଏହା ଗୌରବ ବିଷୟ ବୋଲି ସେ କହିଛନ୍ତି।