ଏଣିକି ଚାରିଧାମରେ ଯାତ୍ରାରେ ଭିଡିଓଗ୍ରାଫି ଏବଂ ରିଲ୍ସ ବନ୍ଦ

ଉତ୍ତରାଖଣ୍ଡର ଚାରି ଧାମରେ ଆଉ କେହି ଭିଡିଓଗ୍ରାଫି ଏବଂ ରିଲ୍ସ କରିପାରିବେ ନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚାରି ଧାମ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର ମନ୍ଦିର ପରିସରଠାରୁ ୫୦ ମିଟର ମଧ୍ୟରେ ସୋସିଆଲ ମିଡିଆ ପାଇଁ ରିଲ୍ସ କିମ୍ବା ଭିଡିଓଗ୍ରାଫି କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ।
ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁଡ଼ି ଗୁରୁବାର ଏହି ଆଦେଶ ଜାରି କରିଛନ୍ତି । ତେବେ ଯାତ୍ରା ସମୟରେ ମୋବାଇଲ୍ ଫୋନ୍ ନେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଅଧିକାରୀ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଅନେକ ପୂଜାରୀ ଏବଂ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ, ଯାହାପରେ ରାଜ୍ୟ ସରକାର ଭିଡିଓ ଏବଂ ରିଲ୍ସ ତିଆରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ପୂଜାରୀମାନେ କହିଥିଲେ କି, ଏମିତି କାର୍ଯ୍ୟକଳାପ ପାରମ୍ପରିକ ମାନଦଣ୍ଡକୁ ଉଲ୍ଲଂଘନ କରୁଛି । ରାଧା ରତୁଡ଼ି ସଂସ୍କୃତି ଓ ଧାର୍ମିକ ବ୍ୟାପାର ସଚିବଙ୍କୁ ଏକ ଚିଠି ଲେଖି ଏ ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ଏହା ବ୍ୟତୀତ ଚାର ଧାମ ଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେ’ ୩୧ ପର୍ଯ୍ୟନ୍ତ ଭିଆଇପି ଦର୍ଶନ ବନ୍ଦ ରହିବ । ମୁଖ୍ୟ ଶାସନ ସଚିବ ଏହା ଉପରେ ପ୍ରତିବନ୍ଧକର ସମୟ ସୀମାକୁ ବଢ଼ାଇ ଦେଇଛନ୍ତି, ଯେପରି ସମସ୍ତେ ସହଜରେ ଚାର ଧାମ ଦର୍ଶନ କରିପାରିବେ ।
ସେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ସୂଚିତ କରିଛନ୍ତି ଯେ ତୀର୍ଥଯାତ୍ରୀମାନଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ମେ’ ୩୧ ପର୍ଯ୍ୟନ୍ତ ଚାରି ଧାମରେ କୌଣସି ଭିଆଇପି ଦର୍ଶନ ମିଳିବ ନାହିଁ । କେବଳ ପଞ୍ଜୀକୃତ ଭକ୍ତମାନଙ୍କୁ ସେମାନଙ୍କ ନିର୍ଦ୍ଦିଷ୍ଟ ତାରିଖରେ ଦର୍ଶନ କରିବାକୁ ଅନୁମତି ଦିଆଯିବ ।
କହି ରଖୁଛୁ ଯେ ଚାରି ଧାମ ଯାତ୍ରା ଆରମ୍ଭ ହୋଇସାରିଛି । ମେ’ ୧୦ରେ କେଦାରନାଥ, ଯମୁନୋତ୍ରୀ ଓ ଗଙ୍ଗୋତ୍ରୀର କପାଟ ଖୋଲା ଯାଇଥିଲା । ମାର୍ଚ୍ଚ ୧୨ରେ ବଦ୍ରିନାଥଙ୍କ କପାଟ ଖୋଲା ଯାଇଥିଲା । ସେବେଠାରୁ କ୍ରମାଗତ ଭାବରେ ବହୁ ସଂଖ୍ୟାରେ ଭକ୍ତ ଚାରି ଧାମ ତୀର୍ଥଯାତ୍ରାରେ ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଥିବା ବେଳେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଚାରି ଧାମ ଦର୍ଶନ କରିସାରିଲେଣି ।