ଡିସେମ୍ବର ସୁଦ୍ଧା ସବୁ ଲୋକଙ୍କୁ ଟିକାକରଣ କରାଯିବ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବର୍ତ୍ତମାନ ଭାରତର ସ୍ଥିତି ସହିତ ଦେଶରେ ଚାଲୁଥିବା ଟିକାକରଣ ଓ ଟିକାର ଅଭାବକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି କି ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏପରି ଅଛି ଯେଉଁଠି ଦୈନିକ ୫ ହଜାରରୁ କମ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହିପରି ଏପ୍ରିଲ ୨୮ ତାରିଖରୁ ମଇ ୪ ତାରିଖ ମଧ୍ୟରେ ଦେଶର ୫୩୧ ଜିଲ୍ଲା ରହିଛି ଯେଉଁଠାରୁ ଦୈନିକ ୧ ଶହରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିଲା। ବର୍ତ୍ତମାନ ଏହି ଭଳି ଜିଲ୍ଲା ସଂଖ୍ୟା ୨୯୫କୁ ହ୍ରାସ ପାଇଛି।
ସେହିପରି ଲବ ଅଗ୍ରୱାଲ କହିଛନ୍ତି କି ମଇ ୩ରେ ଦେଶରେ ୧୭.୧୩ ପ୍ରତିଶତ ସଂକ୍ରମଣ ମାମଲା ରହିଥିବା ବେଳେ ବର୍ତ୍ତମାନ ୬.୭୩ ପ୍ରତିଶତ ସଂକ୍ରମଣ ମାମଲା ରହିଛି। ବର୍ତ୍ତମାନ ଦେଶରେ ଦୈନିକ ୨ ଲକ୍ଷ ଟେଷ୍ଟ ହେଉଥିବା ବେଳେ ମୋଟ ୩୪.୬୭ କୋଟି ଲୋକଙ୍କ ଟେଷ୍ଟ ହୋଇସାରିଛି।
ଏଥିସହିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟିକାକରଣର ସମ୍ପର୍କରେ ସୂଚନା ଦେଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨୧.୬୦ କୋଟି ଟିକା ଡୋଜ୍ ଦିଆ ସରିଛି। ସ୍ୱାସ୍ଥ୍ୟକର୍ମୀଙ୍କୁ ୧.୬୭ କୋଟି, ଅଗାଧାଡ଼ିର ଯୋଦ୍ଧାଙ୍କୁ ୨.୪୨ କୋଟି, ୪୫ ବର୍ଷ ବର୍ଗର ଲୋକଙ୍କୁ ୧୫.୪୮ କୋଟି ଓ ୧୮-୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ୨.୦୩ କୋଟି ଟିକା ଡୋଜ ଦିଆଯାଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏଥିସହିତ କୋଭିସିଲ୍ଡ ଡୋଜର ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ।
କୋଭିସିଲ୍ଡର ପ୍ରଥମ ଡୋଜ ନେବାର ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯିବ। କୋଭାକ୍ସିନ ଟିକା ଡୋଜର ବ୍ୟବଧାନ ପୂର୍ବ ପରି ରହିଛି। ସେହିପରି ଟିକାର ଅଭାବ ଘଟଣାରେ ବଳରାମ ଭାର୍ଗବ କହିଛନ୍ତି କି ଦେଶରେ ଟିକାର ଅଭାବ ନାହିଁ। ଜୁଲାଇର ମଝି ତଥା ଅଗଷ୍ଟ ମାସର ପ୍ରାରମ୍ଭ ବେଳକୁ ଆମ ନିକଟରେ ଦୈନିକ ୧ କୋଟି ଲୋକଙ୍କୁ ଟିକା ଦେବାପାଇଁ ଡୋଜ ଉପଲବ୍ଧି ଥିବ। ସେହିପରି ଡିସେମ୍ବର ସୁଦ୍ଧା ସମଗ୍ର ଜନସାଧାରଣଙ୍କୁ ଟିକାକରଣ କରିବାର ଆଶା ରଖିଛୁ।

Leave a comment