ରଥଯାତ୍ରା ବେଳେ ଜାରି ରହିବ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା

0

ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଜାରିରହିବ । ଶନିବାର ବସିଥିବା ପ୍ରସ୍ତୁତି ବୈଠକରେ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏନେଇ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମୟକୁ ମୌସୁମୀ ଆଗମନ ହୋଇଥିଲେ ବି ପିକ୍ ଆୱାର ମେଗାୱାଟ୍ ବିଦ୍ୟୁତ ଯୋଗାଣ କରାଯିବ । ଆବଶ୍ୟକ ପଡ଼ିଲେ ଅଧିକ ପାୱାର କିଣାଯାଇ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀମାନେ ଅଧିକ ପାୱାର ମଧ୍ୟ ଯୋଗାଣ କରିବେ ।

ପାୱାର ଗ୍ରୀଡ୍ ମଧ୍ୟରେ ସମନ୍ୱୟ ରହିବ । ଏହା ବ୍ୟତୀତ ବିଦ୍ୟୁତ ଟ୍ରାନ୍ସଫର୍ମର ଚେକିଂ, ଲୋଡ଼ିଂ ଓ ଲାଇନ୍ ଚେକିଂ କରାଯିବ ।

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ବିଦ୍ୟୁତ୍ ସରବରାହ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯିବ । ଯେହେତୁ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି, ତେଣୁ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ ଯଥା ଟିପିସିଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଡବ୍ଳ୍ୟୁଡିଏଲ୍ ପାୱାର ଯୋଗାଣ ଉପରେ ସଜାଗ ରହିବେ । ପୁରୀ ରଥଯାତ୍ରା ପାଇଁ ଟିପିସିଓଡିଏଲ୍ ଅଧିକ ଯତ୍ନବାନ ହେବାକୁ ବୈଠକରେ କୁହାଯାଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରିପ୍ରେକ୍ଷୀରେ ଶକ୍ତି ଓ ଶିଳ୍ପ ବିଭାଗର ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଧାର୍ଯ୍ୟ ସମୟ ମଧ୍ୟରେ ଉଭୟ ବିଭାଗର ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ଶ୍ରୀ ଦେବ ପରାମର୍ଶ ଦେଇଥିଲେ । ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍‌ର ନିର୍ଦ୍ଦେଶକ (ଅପରେସନ୍‌) ଓ ଟିପିଡିଓସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Leave a comment