ପୁରୀରେ ଆସନ୍ତାକାଲି ରାତି ୮ଟାରୁ ଲାଗୁ ହେବ ଦୁଇ ଦିନିଆ କର୍ଫ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରା ଯେତେ ନିକଟତର ହେଉଛି କଟକଣା ମଧ୍ୟ ସେତେ ବଳବତ୍ତର ହେଉଛି । ରଥଯାତ୍ରା ପାଇଁ ଦୁଇଦିନ ପୁରୀରେ କର୍ଫ୍ୟୁ ଲାଗୁ ହେବାକୁ ଥିବାରୁ ଆଜି ସଟଡାଉନ କଟକଣାକୁ ସହରରେ କୋହଳ କରାଯାଇଛି । ଆସନ୍ତାକାଲି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ଅର୍ଥାତ ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା ପାଇଁ କର୍ଫ୍ୟୁ କଟକଣା ବଳବତର ରହିବ । ଏହି ସମୟରେ ପୁରୀ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ବଜାର ସହ ଔଷଧ ଦୋକାନ, ବ୍ୟାଙ୍କ ଏବଂ ଅନ୍ୟ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ।
ଅନୁମତି ପାଇନଥିବା ଗାଡି ଚଳାଚଳ କରିପାରିବ ନାହିଁ । ତେବେ ଖାଦ୍ୟ, ଗ୍ରସୋରୀ,ପନିପରିବା,କ୍ଷୀର ହୋମଡେଲିଭରି ହୋଇପାରିବ । ଅପରପକ୍ଷରେ ବଡଦାଣ୍ଡ ବାହାରେ ପୁରୀ ସହରର ଅନ୍ୟ ଔଷଧ ଦୋକାନ ଖୋଲା ରହିପାରିବ । ଆଜି ସଂଧ୍ୟା ସୁଦ୍ଧା ହୋଟେଲ, ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । କେବଳ ପୁରୀ ସହର ପାଇଁ ଏହି ନିୟମ ଜାରି କରାଯାଇଛି, ସମଗ୍ର ଜିଲ୍ଲାରେ ଏହି ନିୟମ ଲାଗୁ ହେବ ନାହିଁ ।