ଅଡୁଆରେ ଟିଭି ଅଭିନେତ୍ରୀ ଚାହତ ଖାନ୍ନା; ୧୦୦ କୋଟି ଟଙ୍କାର ଆଇନଗତ ନୋଟିସ ପଠାଇଲେ ସୁକେଶ ଚନ୍ଦ୍ରଶେଖର
ସୁକେଶ ଚନ୍ଦ୍ରଶେଖର ଟିଭି ଅଭିନେତ୍ରୀ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କା ଆଇନଗତ ନୋଟିସ ପଠାଇଛନ୍ତି। ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଚାହତଙ୍କ ଉପରେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଥିବା ଅଭିଯୋଗ ଲଗାଇଛନ୍ତି। ସୁକେଶଙ୍କ ଓକିଲ ଦାବି କରିଛନ୍ତି ନିକଟରେ ଏକ ସାକ୍ଷାତକାରରେ ଚାହତ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ଭୁଲ ବିବୃତ୍ତି ଦେଇଛନ୍ତି।
କେବଳ ଏତିକି ନୁହେଁ, ଓକିଲ ଏପରିକି କହିଛନ୍ତି ଯେ, ଚାହତଙ୍କ ବିବୃତ୍ତି ଯୋଗୁଁ ସୁକେଶଙ୍କ ପ୍ରତିଷ୍ଠା ଏବଂ ତାଙ୍କ ଭାବମୂର୍ତ୍ତି ଉପରେ ଗଭୀର ପ୍ରଭାବ ପଡିଛି।
ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ କହିଛନ୍ତି, ଯେଉଁ ମାମଲାରେ ସୁକେଶଙ୍କୁ ଅଭିଯୁକ୍ତ କରାଯାଇଛି ତାହା କୋର୍ଟରେ ବିଚାରାଧୀନ ଅଛି। ଯେପର୍ଯ୍ୟନ୍ତ ଅଭିଯୁକ୍ତ ଦୋଷୀ ପ୍ରମାଣିତ ନହୁଅନ୍ତି, ସେ ପର୍ଯ୍ୟନ୍ତ ସେହି ଅଭିଯୁକ୍ତଙ୍କ ବିରୋଧରେ କେହି ମନ୍ତବ୍ୟ ଦେଇ ପାରିବେ ନାହିଁ । ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିବା ଏବଂ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହତ ଏହି ସବୁ କରୁଛନ୍ତି।
ତେବେ ଆଇନଗତ ନୋଟିସ ପଠାଯାଇଛି ଚାହତ ଖାନ୍ନାଙ୍କୁ ସାତ ଦିନ ସମୟ ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ କହିଛନ୍ତି ଯେ ଚାହତ ଖାନ୍ନାଙ୍କୁ ସାତ ଦିନ ମଧ୍ୟରେ କ୍ଷମା ମାଗିବାକୁ ଏକ ବିବୃତ୍ତି ଦେବାକୁ ପଡ଼ିବ। ଯଦି ସେ ତାହା ନକରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।