୧୧୯ରୁ ୧୨୨ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଆଜି ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ବା ଟ୍ରାଭେଲ ହିଷ୍ଟ୍ରି ତଥ୍ୟ ଦେଇଛନ୍ତି । ୧୧୯, ୧୨୦, ୧୨୧ଓ ୧୨୨ନଂ ଆକ୍ରାନ୍ତଙ୍କ ତଥ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।
ସୂଚନାଯୋଗ୍ୟ, ରାଜ୍ୟର ୧୧୯ନଂ କରୋନା ଆକ୍ରାନ୍ତ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବୁଢିଜାମର ୧୮ବର୍ଷୀୟା ଯୁବତୀ । ସେ ଏପ୍ରିଲ ୨୨ତାରିଖରେ କୋଲକାତା ବଡ଼ବଜାରରୁ ଭଡ଼ା ଗାଡ଼ିକରି ଓଡ଼ିଶା ଫେରିଥିଲେ। ତାପରେ ସେ ୨୩ ରୁ ୨୯ ଯାଏଁ ବୁଢିଜାମରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ନମୁନା ପରୀକ୍ଷା ପରେ ୨୯ରେ ତାଙ୍କ ଠାରେ କରୋନା ଭୂତାଣୁ ପଜିଟିଭ ଆସିଥିଲା। ୨୯ତାରିଖରେ ତାଙ୍କୁ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୧୨୦ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ଜଣେ ବୃଦ୍ଧ। ମାର୍ଚ୍ଚ ୨୨ ତାରିଖରେ ସେ ନିଜ ଘରେ ପରିବାର ସହ ରହିଥିଲେ। ଏପ୍ରିଲ ୭ ତାରିଖରେ ତାଙ୍କ ପରିବାରର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏପ୍ରିଲ ୯ ରେ କଣ୍ଟାକ୍ଟ ଟ୍ରେସିଂ,ନମୁନା ପରୀକ୍ଷା ପରେ ତାଙ୍କ ନେଗେଟିଭ ଆସିଥିଲା । ଏପ୍ରିଲ ୨୮ରେ ପୁଣି ଥରେ ପରୀକ୍ଷା ପରେ ତାଙ୍କ ଠାରେ କରୋନା ନମୂନା ପଜିଟିଭ୍ ଆସିଥିଲା । କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ସେହିଭଳି ୧୨୧ ନମ୍ବର ଆକ୍ରାନ୍ତ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଞ୍ଚରପଲ୍ଲୀ ଅଞ୍ଚଳର ୬୦ ବର୍ଷର ଜଣେ ବ୍ୟକ୍ତି ଅଟନ୍ତି । ସେ କୋଲକାତାରୁ ବଡ଼ବଜାରରୁ ଗାଡ଼ି କରି ୮ ଜଣଙ୍କ ସହ ଓଡ଼ିଶା ଆସିଥିଲେ । ୧୨୨ ନମ୍ବର ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁରର ୩୪ ବର୍ଷିୟ ଯୁବକ । ସେ ଏପ୍ରିଲ ୨୫ରେ କୋଲକାତାରୁ ରେଢାଖୋଲ ଆସିଥିଲେ । ଟ୍ରକରେ କୋଲକାତାରୁ ଫେରିବା ପରେ ରେଢାଖୋଲରୁ ଘରକୁ ଚାଲି ଚାଲି ଆସିଥିଲେ । ୨୬ ଏପ୍ରିଲରୁ ୨୯ ଏପ୍ରିଲ ଯାଏଁ ଘରେ ରହିଥିଲେ । ଏପ୍ରିଲ ୨୯ରେ ନମୁନା ପରୀକ୍ଷା ପରେ ପଜିଟିଭ୍ ଆସିଥିଲା । ତାଙ୍କୁ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।