ଟ୍ରାଫିକ୍ କନଷ୍ଟେବଲ ନିଖୋଜ ଘଟଣା: ଭୁବନେଶ୍ୱରରେ ହତ୍ୟା କରି କେନ୍ଦୁଝରରେ ପୋତି ଦେଇଥିଲେ ଦୀପକ
ଭୁବନେଶ୍ୱର : କମିଶନରେଟ୍ ପୋଲିସର ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ଶୁଭମିତ୍ରାଙ୍କୁ ତାଙ୍କ ସ୍ୱାମୀ ତଥା ପ୍ରେମିକ କନଷ୍ଟେବଲ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିଛି। ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଦୁଇ ସହଯୋଗୀଙ୍କ ସହ ତାଙ୍କୁ କେନ୍ଦୁଝର ଜିଲ୍ଲା ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିଲା। ତଦନ୍ତ ବେଳେ କମିଶନରେଟ ପୋଲିସ ଏହା ଜାଣିବାକୁ ପାଇଛି। ପରେ ହତ୍ୟାକାରୀ ଦୀପକ ସହ ୩ଜଣଙ୍କୁ ଗିରଫ କରିଛି।
ଜଗତସିଂହପୁର ଜିଲ୍ଲା ପାରାଦୀପର ବାସିନ୍ଦା ଏବଂ ଭୁବନେଶ୍ୱରରେ ଟ୍ରାଫିକ୍ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ମୃତ ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟି ପାଇଁ ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିଲେ। ପରଦିନ ଅର୍ଥାତ ୭ ତାରିଖରେ ଶୁଭମିତ୍ରାଙ୍କ ମା ସୁକାନ୍ତି ସାହୁ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ହୋଇଥିବା ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ କମିଶନରେଟ ମୁଖ୍ୟାଳୟରେ କାର୍ଯ୍ୟରତ କନଷ୍ଟେବଲ ଦୀପକଙ୍କ ସହ ତାଙ୍କର ବନ୍ଧୁତା ଓ ଫୋନ କଲକୁ ଆଧାର କରି ପୋଲିସ ତାଙ୍କୁ ସନ୍ଦେହ ଘେରକୁ ନେଇଥିଲା। ଏପରିକି କିଛିଦିନ ହେଲା ଦୀପକ ତାଙ୍କ ଝିଅକୁ ହଇରାଣ ହରକତ କରୁଥିବା ଶୁଭମିତ୍ରାଙ୍କ ପରିବାର ଲୋକେ ପୋଲିସକୁ କହିଥିଲେ। ତଦନ୍ତ ବେଳେ ଶୁଭମିତ୍ରା ଓ ଦୀପକ କୋର୍ଟରେ ବିବାହ କରିଥିବା ପୋଲିସ ଜାଣିବାକୁ ପାଇଥିଲା।୨୦୨୪ ଜୁଲାଇ ୭ ତାରିଖରେ ସେମାନେ କୋର୍ଟରେ ବିବାହ କରିଥିଲେ। ଉଭୟଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ମଧ୍ୟ ପୋଲିସର ହସ୍ତଗତ ହୋଇଛି। ଏହା ପରେ ପୋଲିସ ଦୀପକକୁ ହେପାଜତକୁ ନେଇ ଜେରା କରିଥିଲା। ଜେରା ବେଳେ ସେ ସତ ଓଗାଳିଥିଲା।
ଗତ ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ୟୁନିଟ-୬ ସ୍ଥିତ ଏକ ଜାମୁଗଛ ତଳେ ଦୀପକ ନିଜ କାରରେ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ତା’ପରେ ସେହି କାରରେ ମୃତଦେହକୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କୁସୁନପୁର ଗାଁକୁ ନେଇଯାଇଥିଲେ। ସେହି ଗାଁରେ ରହନ୍ତି ଦୀପକଙ୍କ ମାଉସୀ ପୁଅ ଭାଇ ବିନୋଦ ଭୂୟାଁ। ସେଠାରେ ଉଭୟେ ମିଶି ନିକଟସ୍ଥ ଜଙ୍ଗଲରେ ଏକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ଏଥିରେ ସେମାନଙ୍କୁ ଜଟିଆ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ସହଯୋଗ କରିଥିଲେ। ପୋଲିସ ବିନୋଦ ଭୂୟାଁ ଓ ଜଟିଆଙ୍କୁ ମଧ୍ୟ ଗିରଫ କରିଛି।
୧୦ ଲକ୍ଷ ଟଙ୍କା ପାଇଁ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ଦୀପକ ରାଉତ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ପୋଲିସ କମିଶନର କହିଛନ୍ତି, ୧୦ ଲକ୍ଷ ଟଙ୍କା ପାଇଁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ସେହି ଟଙ୍କା ମାଗିବାରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏନେଇ ପ୍ରମାଣ ମିଳିଛି।
ଦୀପକ ପୂର୍ବରୁ ବାହା ହୋଇଥିଲେ। ଏକ ଦୁର୍ଘଟଣାରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପୋଲିସ ଜାଣିବାକୁ ପାଇଛି। ଦୀପକ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁରେ କୋଟିଏ ଟଙ୍କାର ବୀମା କରିଥିଲେ। ତେଣୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲା ଏବେ ସନ୍ଦେହ ଘେରକୁ ଚାଲି ଆସିଛି। କମିଶନରେଟ୍ ପୋଲିସ ଶୁଭମିତ୍ରା ହତ୍ୟା ଘଟଣା ସହିତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ କରୁଛି।
ହତ୍ୟାର ତଥ୍ୟ ପ୍ରମାଣ ମିଳିବା ପରେ କମିଶନରେଟ୍ ପୋଲିସର ଏକ ଟିମ୍ ଅଭିଯୁକ୍ତ ଦୀପକଙ୍କୁ ସାଙ୍ଗରେ ଧରି ଘଟଗାଁ ଯାଇଥିଲେ। ସେଠାରେ ସିନ୍ ରିକ୍ରିଏସନ୍ ସହିତ ଶୁଭମିତ୍ରାଙ୍କ ମୃତଦେହକୁ ମାଟିତଳୁ ବାହାର କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବିରେ ମାଟିଖୋଳି ତାଙ୍କ ମୃତଦେହକୁ ବାହାର କରାଯାଇଥିଲା। ଶୁଭମିତ୍ରାଙ୍କ ମୃତଦେହକୁ ଏକ ବସ୍ତାରେ ଭର୍ତି କରି ମାଟି ଖୋଳି ପୋତି ଦିଆଯାଇଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ଜଣଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।
ଡିଜେ ଗାଡିରେ ଲାଗିଲା କଟକଣା, ଏଣିକି ରଦ୍ଦ ହେବ ପଞ୍ଜିକରଣ ଓ ଫିଟନେସ୍
ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ରାଜ୍ୟ ସରକାର ମୋଟରଯାନ ଆଇନକୁ କଡାକଡି କରିଛନ୍ତି। ବିଶେଷ କରି ଡିଜେ ଗାଡ଼ି ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋଟର ଯାନ ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜିକରଣ ଓ ଫିଟନେସ୍ ରଦ୍ଦ ହେବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପରିବହନ ପ୍ରାଧିକରଣ ଏଭଳି ପଦକ୍ଷେପ ନେଇଛି। ବିଗତ କିଛି ଦିନ ମଧ୍ୟରେ ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତନ, ଯାନର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତନ, ଯାନରେ ଲଗାଉଥିବା ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ୍ କରୁଥିବା ବେଆଇନ ଆଲୋକ ଇତ୍ୟାଦିକୁ ରୋକିବା ନିମନ୍ତେ ଏଣିକି ପରିବହନ ବିଭାଗ କଠୋର ଆଭିମୂଖ୍ୟ ଗ୍ରହଣ କରିବ। ଏନେଇ ଏକ ସର୍କୁଲାର ପରିବହନ ଆୟୁକ୍ତଙ୍କ ଦ୍ୱାରା ଜାରି କରାଯାଇଛି।
ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ବେଆଇନ ଭାବେ ତାକୁ ଡିଜେ ଯାନ ଭାବେ (ମୋଟର ଯାନ ଆଇନରେ ଡିଜେ ଭ୍ୟାନର କୌଣସି ପ୍ରଚଳିତ ବ୍ୟବସ୍ଥା ନାହିଁ) ପରିବର୍ତନ କରି ବେଆଇନ ଭାବେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ଓ ଚିକମିକ୍ ଆଲୋକ ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଯାନଗୁଡିକ ଅସୁବିଧାର ସମ୍ମୁଖୀନ ହେବା ସହ ବେଆଇନ ଉଚ୍ଚତା ଯୋଗୁଁ ସର୍ଟସର୍କିଟ୍ ଓ ଭାରସମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଭଳି ଅଘଟଣର ତଥ୍ୟ ବିଭାଗ ଦୃଷ୍ଟିକୁ ଆସିଛି। ଏହି ତଥାକଥିତ ଡିଜେ ଭ୍ୟାନର ବ୍ୟବହାର ବହୁଳ ଭାବରେ ହେଉଛି। ତେଣୁ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଯାଂଚ ଏବଂ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ ଯେ, କୌଣସି ଯାନକୁ ମୂଳ ଢାଂଚାରୁ ପରିବର୍ତନ କରାଯାଇପାରିବ ନାହିଁ । ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ମୋଟର ଯାନ ଆଇନର ଧାରା ୧୯୦ (୨) ଏବଂ ଧାରା ୧୮୨ (କ) (୪) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ । ଏହାସହ ଏପରି ଯାନଗୁଡ଼ିକର ଫିଟନେସ୍ ଓ ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା ୫୩ ଓ ୫୬ (୪)ର ବ୍ୟବହାର କରାଯିବ। ବହୁରଙ୍ଗୀ ଏଲଇଡି/ଲେଜର/ନିଅନ୍ ଲାଇଟ୍, ଘୁରୁଥିବା ଊଔ ଲାଇଟ୍, କିମ୍ବା ଏଆଇଏସ୍-୦୦୮ ନିର୍ଦ୍ଦିଷ୍ଟକରଣ ଅନୁଯାୟୀ ନଥିବା ଯେକୌଣସି ଆଲୋକ ବ୍ୟବସ୍ଥା ବ୍ୟବହାର ନିଷେଧ ରହିଛି। ସେହିଭଳି ମୋଟର ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ଏବଂ ସମାନ ସେଟଅପ୍ ବ୍ୟବହାର ମଧ୍ୟ ବେଆଇନ ଅଟେ। ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ଓ ଅଘଟଣର କାରଣ ସାଜୁଛି। ସେହିଭଳି ଗାଡ଼ିରେ ଡିଜେ ସେଟ୍ ଅପ୍ ପାଇଁ ମନଇଚ୍ଛା ଯନ୍ତ୍ରାଂଶ ପରିବହନ ମଧ୍ୟ ବେଆଇନ।
ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକୀୟ ହୋଇପଡ଼ିଛି। ବିଭାଗ ପକ୍ଷରୁ ଏହି ଅଭିଯାନକୁ ଅଧିକ ପ୍ରଭାବୀ କରିବାକୁ ରାତି ତଥା ଉତ୍ସବ ଆଦି ସମୟରେ ବିଶେଷ ଧ୍ୟାନ ରଖାଯିବ। ଯେକୌଣସି କାର୍ଯ୍ୟକ୍ରମ ହେଉ, ସର୍ବଦା ନିୟମ ପାଳନ ହେବା ଉଚିତ୍ । ନିୟମ ଉଲ୍ଲଙ୍ଘନ ସର୍ବଦା ଅଘଟଣକୁ ଆମନ୍ତ୍ରଣ କରେ । ଉତ୍ସବରେ ଆନନ୍ଦକୁ ଦୁଃଖରେ ପରିଣତ କରେ । ତେଣୁ ଯେଉଁମାନେ ସାମୂହିକ ସୁରକ୍ଷା ସୁନିଶ୍ଚିତ କରିବାକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଚାଲାଣ କଟାଯିବ ଓ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଏହାସହ ଗାଡ଼ି ମାଲିକ ତଥା ଅପରେଟରମାନଙ୍କୁ ଆଇନ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ସଚେତନ କରିବା ପାଇଁ ବିଭାଗ ଦ୍ୱାରା ସଚେତନତା ଅଭିଯାନ ଆରମ୍ଭ କରାଯିବ । ଲୋକମାନେ ଯେଉଁ ଯାନକୁ ଭଡ଼ାରେ ନେଉଛନ୍ତି ବା ବ୍ୟବହାର କରୁଛନ୍ତି, ସେହି ଯାନ ପଞ୍ଜିକୃତ ଅଛି କି ନାହିଁ, ଏହା ସୁରକ୍ଷା ମାନଦଣ୍ଡକୁ ପାଳନ କରୁଛି କି ନାହିଁ ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ଅନୁରୋଧ କରାଯାଇଛି ।