ଆସନ୍ତାକାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୪୬୦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ଥମି ଯାଇଛି ପ୍ରଚାର । ସବୁଠି ନିରବତା । ରାତି ପାହିଲେ ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ହେବ ମତଦାନ। ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ଏକ କୋଟି ଭୋଟର। ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୬୬ ଜଣ ସାଂସଦ ପ୍ରାର୍ଥୀ ଓ ୩୯୪ ବିଧାୟକ ପ୍ରାର୍ଥୀ।
ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସର୍ବାଧିକ ଭୋଟର ଅଛନ୍ତି। ମୋଟ ୯୯ ଲକ୍ଷ ୬୧ ହଜାର ଭୋଟରଙ୍କ ମଧ୍ୟରୁ ୫୦ଲକ୍ଷ ୮୮ ହଜାର ପୁରୁଷ । ମହିଳା ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୭୨ ହଜାର। ମୋଟ ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଥିବା ବେଳେ ୧୪ଶହରୁ ଅଧିକ ସଖୀ ବୁଥ ରହିଛି। ୨୦ ପ୍ରତିଶତ ବୁଥକୁ ଆଦର୍ଶ ବୁଥ କରାଯାଇଛି।ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି ୭୦ ହଜାର ପୋଲିଂ କର୍ମଚାରୀ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୋଲିସ ସହ ୧୨୬ କଂପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ମୁତୟନ ହେବେ ।
୨୦୧୯ ନିର୍ବାଚନରେ ଏହି ଆସନ ଗୁଡ଼ିକରେ ଭଲ ରହିଥିଲା ବିଜେଡିର ପ୍ରଦର୍ଶନ। ୬ ଲୋକସଭା ଆସନରୁ ବିଜେଡି ଖାତାକୁ ୪ଟି ସିଟ ଯାଇଥିବା ବେଳେ ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା । ଲୋକସଭା ନିର୍ବାଚନରେ ବିଜେଡିର ଷ୍ଟ୍ରାଇକ ରେଟ ୬୦ ପ୍ରତିଶତ ଥିବା ବେଳେ ବିଜେପିର ଷ୍ଟ୍ରାଇକ ରେଟ ୪୦ ପ୍ରତିଶତ ରହିଥିଲା । ୪୨ ବିଧାନସଭା ଆସନ ମଧ୍ୟରୁ ବିଜେଡି ୩୩ଟିରେ ବାଜିମାତ କରିଥିଲା । ବିଜେପି ଖାତାକୁ ଯାଇଥିଲା ୯ଟି ଆସନ । ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ ସର୍ବାଧିକ ୬ ଟି ଆସନରେ ବିଜୟୀ ହୋଇଥିଲା । ବିଜେଡିର ଷ୍ଟ୍ରାଇକ ରେଟ ୭୮.୫୭ ପ୍ରତିଶତ ଓ ବିଜେପିର ଷ୍ଟ୍ରାଇକ ରେଟ ଥିଲା ୨୧.୪୨ ପ୍ରତିଶତ । ଏବେ କିଏ ମାରିବ ବାଜି, ଜୁନ ୪ ଫଳାଫଳରୁ ସ୍ପଷ୍ଟ ହେବ।