ଟୋକିଓ ଅଲିମ୍ପିକ୍ସର ମନଲୋଭା ଉଦ୍‌ଘାଟନ

0

ଟୋକିଓ : ଅପ୍ରତ୍ୟାଶିତ ବ୍ୟତିକ୍ରମ, ଆଶଙ୍କା ଓ ଆହ୍ବାନରେ ଭରାଥିବା ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷର ବିଳମ୍ବ ପରେ ଉଦ୍‌ଘାଟିତ ହୋଇଛି। କୋଭିଡ୍‌ ମହାମାରୀ ବିପଦ ଏବଂ ଜାପାନବାସୀଙ୍କ ବିରୋଧ ଓ ବିକ୍ଷୋଭକୁ ପ୍ରତିହତ କରି ଏହି ବିବିଧ କ୍ରୀଡ଼ାର ମହାକୁମ୍ଭ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଦର୍ଶକବିହୀନ ବିରଳ ଉଦ୍‌ଘାଟନୀ ଉତ୍ସବ ଟୋକିଓର ନ୍ୟାସନାଲ୍ ଷ୍ଟାଡିୟମ୍‌ରେ ହୋଇଥିଲେ ବି ପାରମ୍ପରିକ ଭାବେ ମାର୍ଚ୍ଚ ପାଷ୍ଟ ଓ ସୀମିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ସମ୍ପନ୍ନ କରାଯାଇଥିଲା। ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ଉଦ୍‌ଘାଟନୀ ଉତ୍ସବ କଳାପଟାରେ ଚକରେ ପ୍ରସ୍ତୁତ ଜିଓମେଟ୍ରିକ ରୂପରୁ ଆରମ୍ଭ ‌ହୋଇଥିଲା। ହସ୍ତ ଅଙ୍କିତ ଆନିମେସନ୍‌ର ଗତିଶୀଳ ରୂପ କ୍ରମେ ନ୍ୟାସନାଲ୍ ଷ୍ଟାଡିୟମ୍‌ରେ ପରିଣତ ହେବା ପରେ ଉତ୍ସବ ଆରମ୍ଭ‌ ହୋଇଥିଲା।

RIO DE JANEIRO, BRAZIL – AUGUST 05: Fireworks and laser show are being performed during the Opening Ceremony of the Rio 2016 Olympic Games at Maracana Stadium in Rio de Janeiro, Brazil on August 05, 2016. (Photo by Okan Özer/Anadolu Agency/Getty Images)

ଜାପାନର ମହାନ ପରମ୍ପରା ଓ ପ୍ରାଚୁର୍ଯ୍ୟ ଭରା ସଂସ୍କୃତିର ପ୍ରତିଫଳନ ଟୋକିଓର ନ୍ୟାସନାଲ୍ ଷ୍ଟାଡିୟମ୍‌ରୁ ଟିଭି ମାଧ୍ୟମରେ ଦେଖିଥିଲେ କୋଟି କୋଟି ବିଶ୍ବବାସୀ। ଜାପାନର ଲୋକପ୍ରିୟ ଗୀତିକାର ମିସିଆ ଜାତୀୟ ସଂଗୀତ ‘କିମି‌ୟାଗୋ’ ଗାନ କରିଥିଲେ। ଜାପାନର ସମ୍ରାଟ ନାରୁହିତୋ ଟୋକିଓ ଗେମ୍ସର ଉଦ୍‌ଘା‌ଟନ କରିଥିଲେ। ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି (ଆଇଓସି)ର ସଭାପତି ଥମାସ ବାକ୍‌ ତାଙ୍କ ଅଭିଭାଷଣରେ କହିଥିଲେ, କ୍ରୀଡ଼ା ଶକ୍ତିର ପ୍ରଦର୍ଶନ କରିଛି ଅଲିମ୍ପିକ୍ସ। ଆଜିର ଦିନ ଆଶାର ମୁହୂର୍ତ। କଳ୍ପନାଠାରୁ ଏହି ଅଲିମ୍ପିକ୍ସ ଭିନ୍ନ ହେବାକୁ ଯାଉଛି। ଜାପାନବାସୀଙ୍କୁ ଧନ୍ୟବାଦ ଦେବା ସହ କୋଭିଡ୍‌ ମହାମାରୀ ପାଇଁ ସମସ୍ତ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ। ଏତିକି ବେଳେ ଜାପାନ ଛାତ୍ରମାନେ ପାରମ୍ପରିକ ଭାବେ ଶାନ୍ତିର ପ୍ରତୀକ କପୋତ ଉଡ଼ାଇ ବିଶ୍ବବାସୀଙ୍କୁ ନିଆରା ସନ୍ଦେଶ ଦେଇଥିଲେ।

ଦର୍ଶକବିହୀନ ଉଦ୍‌ଘାଟନୀ ଉତ୍ସବ ସତ୍ତ୍ବେ ସଂଗୀତ ଓ ଆତସବାଜି ପ୍ରଦର୍ଶିତ ହୋଇଥିଲା। ବିଖ୍ୟାତ ଜାପାନୀ ଭିଡିଓ ଗେମ୍‌ସ ମଧ୍ୟ ଜାପାନ ଦଳର ମାର୍ଚ୍ଚ ପାଷ୍ଟ ବେଳେ ଦେଖିବାକୁ ମିଳିଥିଲା। ପ୍ରଥମେ ପ୍ରାଚୀନ ଅଲିମ୍ପିକ୍ସର ଉତ୍ପତ୍ତି ସ୍ଥଳ ଗ୍ରିସ୍‌ ଦଳ ଆସିଥିଲା। ଏହା ପରେ ଅଲିମ୍ପିକ୍ସ ଶରଶାର୍ଥୀ ଦଳ ଏବଂ ଇଂରାଜୀ ଆଲଫାବେଟ୍ ଅନୁସାରେ ପ୍ରତି ଦେଶ ଆଗମନ କରିଥିଲେ। ଉଦ୍‌ଘା‌ଟନୀ ଉତ୍ସବର ମାର୍ଚ୍ଚ ପାଷ୍ଟରେ ୧୯ ଜଣିଆ ଭାରତୀୟ ଦଳର ନେତୃ୍ତ୍ବ ନେଇଥିଲେ ୬ ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ମେରି କମ୍‌ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହ।

ପ୍ରଥମରୁ କୋଭିଡ୍ କଟକଣା ସମ୍ପର୍କରେ ମଧ୍ୟ ଦୁଇଟି ବଡ଼ ପରଦାରେ ସବୁ ନିୟମାବଳୀ ଉଲ୍ଲେଖ କରାଯାଇଥିଲା। ପୂର୍ବ ଭଳି ସମସ୍ତ କ୍ରୀଡ଼ାବିତ୍‌ ଉଦ୍‌ଘାଟନୀ ଉତ୍ସବର ମାର୍ଚ୍ଚ ପାଷ୍ଟରେ ଅଂଶଗ୍ରହଣ କରିନଥିଲେ। ପ୍ରତି ଦେଶର ବଛା ବଛା କିଛି ଖେଳାଳିଙ୍କୁ ନେଇ ଛୋଟ ଛୋଟ ଦଳ ମାର୍ଚ୍ଚ ପାଷ୍ଟ କରିଥିଲେ। ତଥାପି କିଛି ଦେଶ ବଡ଼ ଦଳ ନେଇ ଷ୍ଟାଡିୟମ୍‌ ଆସିଥିଲେ ଏବଂ ଅଲିମ୍ପିକ୍ସ ଅଂଶଗ୍ରହଣର ସ୍ମରଣୀୟ ମୁହୂର୍ତ ସବୁକୁ ସାଉଁଟିଥିଲେ।

ଷ୍ଟାଡିୟମ୍‌ ବାହାରେ କିନ୍ତୁ ଅଲିମ୍ପିକ୍ ଆୟୋଜନକୁ ପ୍ରବଳ ସଂଖ୍ୟାରେ ବିରୋଧ କରାଯାଇଥିଲା। ପୁଲିସକୁ ଏଥିପାଇଁ ଲହୁଲୁହାଣ ହେବାକୁ ପଡ଼ିଥିଲା। କୋଳାହଳର ସ୍ବର ମଧ୍ୟ ଷ୍ଟାଡିୟମ୍‌ ଭିତରକୁ ଶୁଭୁଥିଲା। ତେବେ ଉଦ୍‌ଘାଟନୀ ଉତ୍ସବ ଅବସରରେ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସ ବେଳେ ଇସ୍ରାଏଲ ପ୍ରତିନିଧିଙ୍କୁ ହତ୍ୟା, ୨୦୧୧ ଭୂକମ୍ପ, ସୁନାମି ଏବଂ ପରମାଣୁ ଦୁର୍ଘଟଣାରେ ନିହତଙ୍କ ଲାଗି ନିରବ ପ୍ରାର୍ଥନା କରାଯିବା ଭଳି ପ୍ରଥମ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା। ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ବାଂଲାଦେଶର ପ୍ରଫେସର ମହମ୍ମଦ ୟୁନୁସଙ୍କୁ ଅଲିମ୍ପିକ୍ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାପରେ ମାର୍ଚ୍ଚ ପାଷ୍ଟ ଆରମ୍ଭ ହୋଇଥିଲା। ୧୭ ଦିନିଆ ଏହି ଅଲିମ୍ପିକ୍ସ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ। ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ।

Leave a comment