ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ
ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ହେବ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୫ ଦିନର ଅଣବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ କରାଯାଇଛି ।
ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମୟ ରହିଛି । ବିଶେଷ ନୀତି ନିମନ୍ତେ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ଯାଏଁ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଏବଂ ସନ୍ଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ।
ଏପଟେ ରାତି ୯ଟାରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ନବଯୌବନ ଦର୍ଶନ ପୂର୍ବରୁ ଗତକାଲି ଶ୍ରୀଜିଉଙ୍କ ବନକ ଲାଗି ଓ ଚନ୍ଦନ ଲାଗି କରାଯାଇଛି । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି ହେବ ମହାପ୍ରଭୁଙ୍କ ଉଭାଯାତ୍ରା ।
ଏହି ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବନାହିଁ ।ଚଳିତବର୍ଷ ଦୁଇ ଦିନ ନବଯୌବନ ଦର୍ଶନ ପଡୁଥିବାରୁ ତା ପରଦିନ ଅର୍ଥାତ ଗୁରୁବାର ଉଭାଯାତ୍ରାରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀଗୁଣ୍ଡିଚା ନୀତି କାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଗୁରୁବାର ସନ୍ଧ୍ୟା ୫ଟାରୁ ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ । ନବଯୌବନ ଦର୍ଶନ ପୂର୍ବରୁ ଆଜି ଶ୍ରୀଜିଉଙ୍କ ବନକଲାଗି ଓ ଚନ୍ଦନଲାଗି କରାଯାଇଛି । ଅନ୍ୟପଟେ ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାଶ୍ୱର୍ରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି । ପରେ ସେଥିରେ ସ୍ଥାପନ କରାଯାଇଛି ପାଶ୍ୱର୍ ଦେବାଦେବୀଙ୍କୁ ।