ଷୋଡ଼ଶ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ, କଂଗ୍ରେସ ହଟ୍ଟଗୋଳରେ ଶେଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷୋଡ଼ଶ ବିଧନସଭାର ପ୍ରଥମ ଦିବସରୁ ହଟ୍ଟଗୋଳ । ଆଜି ଷୋଡ଼ଶ ବିଧନସଭାର ପ୍ରଥମ ଅଧିବେଶନ ଥିବାରୁ ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ରଖିବା ପରେ ଗୃହରେ ଦିବଙ୍ଗତ ସଦସ୍ୟ ଓ ସୁରକ୍ଷାକର୍ମୀମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ‘ଫୋନି’ର ଭୟାବହତା ଓ କ୍ଷୟକ୍ଷତି ଜଣାଇବା ସହ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ସାବାସୀ ଦେଇଥିଲେ ରାଜ୍ୟପାଳ । ଗୃହରେ ଆଗତ ହୋଇଥିବା ଶୋକ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ନିଜର ବକ୍ତବ୍ୟ ରଖି ସାରିବା ପରେ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା ।

ରାଜ୍ୟପାଳଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଡାକିଥିଲେ । ମାତ୍ର କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ଓ ତାରାପ୍ରସାଦ ବାହିନୀପତି ନିଜ ଆସନରେ ଠିଆ ହୋଇ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ପୂର୍ବରୁ ବାଚସ୍ପତି କିଭଳି ବିରୋଧୀ ଦଳ ନେତାଙ୍କୁ କହିବାକୁ ଡାକିଲେ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ସ୍ପଷ୍ଟୀକରଣ ମାଗିଥିଲେ ଓ ନରବାଜି କରିଥିଲେ । ମାତ୍ର ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ତାଙ୍କର ପ୍ରସ୍ତାବ ଆଗତ କରି ବକ୍ତବ୍ୟ ରଖି ଚାଲିଥିଲେ ।  

Leave a comment