ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଆଜି ସନ୍ଧ୍ୟା ସୁଦ୍ଧା ଶେଷ ହେବ ପ୍ରଚାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଶେଷ ହେବ ପ୍ରଚାର । ଏହି ପର୍ଯ୍ୟାୟରେ ୬ଟି ଲୋକ ସଭା ସମେତ ୪୧ ବିଧାନସଭା ଆସନ ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ । ୫୨ ଲୋକ ସଭା ପ୍ରର୍ଥୀ ଓ ୩୪୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ ଲୋକ ସଭା ଆସନ ସମେତ ଏହା ଅଧୀନ ସମସ୍ତ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯିବା କାରଣରୁ ସେଠାରେ ମେ ୧୯ରେ ନିର୍ବାଚନ ହେବାକୁ ସ୍ଥିର କରାଯାଇଛି ।
ଉପରୋକ୍ତ ସମସ୍ତ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର ଚାଲିଥିବା ବେଳେ କେନ୍ଦ୍ରାପଡା ଲୋକସଭା ଆସନ ଜିତିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛି ବିଜେଡି ଓ ବିଜେପି । ରାଜନୈତିକ ଶତ୍ରୁ ତଥା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏଠାରୁ ପ୍ରାର୍ଥୀ ହୋଇଥିବାରୁ ଏହି ଆସନ ହାତେଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଏଥିପାଇଁ ବିଜେଡିର ବହୁ ବରିଷ୍ଠ ନେତା, ବିଧାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଚାରର ଶେଷ ଦୁଇଦିନ କେନ୍ଦ୍ରାପଡ଼ାରେ ରହି ଏମପି ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।