ଟିଏମସି ପରିଚାଳନା ରିପୋର୍ଟ ଦାଖଲ କରିବେ ସରପଞ୍ଚ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ (ଟିଏମସି) ପରିଚାଳନା ସଂପର୍କରେ ରିପୋର୍ଟ ଦାଖଲ କରିବାକୁ ସରପଞ୍ଚ ମାନଙ୍କୁ
ନିର୍ଦେଶ ଦେଇଛନ୍ତି ସରକାର। ଓଡିଶା ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ଜୁନ୍ ୧୯ ସୁଦ୍ଧା କ୍ୱାରେଣ୍ଟାଇନ କେନ୍ଦ୍ର ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
ବିଭାଗୀୟ ପ୍ରମୁଖ୍ୟ ସଚିବ ଦେଓରଂଜନ କୁମାର ସିଂହ ସମସ୍ତ ପିଡି, ଡିଆରଡିଏ ଏବଂ ବିଡିଏ ମାନଙ୍କୁ ସିଭିଲ୍ ନିର୍ମାଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ (ଟିଏମସି) ପରିଚାଳନା ବାବଦରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟୟ ସଂପର୍କରେ ପ୍ରାଥମିକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ,ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬,୭୯୮ ପଞ୍ଚାୟତରେ ୭.୬୨ ଲକ୍ଷ ଶଯ୍ୟା ବିଶିଷ୍ଟ ମୋଟ ୧୬,୮୧୮ଟି ଟିଏମସି ସ୍ଥାପନ କରାଯାଇଛି। ତେବେ ଟିଏମସି ପ୍ରତିଷ୍ଠା କରିବା ଏବଂ ପରିଚାଳନା ସଂପର୍କରେ ସରକାରଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ସରକାର ପୂର୍ବରୁ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିବା ବେଳେ ଟିଏମସିର ପ୍ରଭାବ ଢଙ୍ଗରେ ପରିଚାଳନା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ।
ତେବେ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଏଭଳି କ୍ଷମତା ପାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। କ୍ୱାରେଣ୍ଟାଇନ କେନ୍ଦ୍ର ଅବା ଟିଏମସିର ଗୁଡିକର ପରିଚାଳନା ପାଇଁ ଘୋଷିତ ଅର୍ଥ ମଧ୍ୟ ସେମାନଙ୍କୁ ମିଳି ନ ଥିବା ଅଭିଯୋଗ ହୋଇଛି।