ତୁଷାରରେ ଧସି ତିନି ଯବାନ ନିଖୋଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ସେନା ପୋଷ୍ଟ୍ ଉପରେ ତୁଷାର ସ୍ଖଳନ ଘଟିବାରୁ ଭାରତୀୟ ସେନାବାହିନୀର ଅନ୍ୟୂନ ତିନି ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ସେନାବାହିନୀ ସୂତ୍ରରୁ ପ୍ରକାଶ ପାଇଛି । ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିବା ପରେ ନିଖୋଜ ଯବାନମାନଙ୍କୁ ପାଇବା ପାଇଁ ସେନାବାହିନୀ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହାଛଡ଼ା ତୁଷାର ମଧ୍ୟରେ ଲାଖି ରହିଥିବା ଅନ୍ୟ ତିନି ଜଣ ଯବାନଙ୍କୁ ନିରାପତ୍ତା ବଳ ଉଦ୍ଧାର କରିଛି । ବନ୍ଦିପୋଡ଼ା ଜିଲ୍ଲାର ଗୁରେଜ ସେକ୍ଟର ସେନା ପୋଷ୍ଟ୍ ଉପରେ ମଧ୍ୟ ତୁଷାର ସ୍ଖଳନ ହୋଇଛି ।
ତୁଷାର ମଧ୍ୟରେ କେତେକ ଯବାନ ପୋତି ହୋଇ ରହିଯାଇଥିବା ଆଶଙ୍କା କରାଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବାକୁ ଅଭିଯାନ ଆରମ୍ଭ ହୋଇଛି । ନଭେମ୍ବର ୩୦ ତାରିଖ ସକାଳେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଦକ୍ଷିଣ ସିଆଚୀନ୍ ଗ୍ଲେସିୟର୍ ଅଞ୍ଚଳରେ ସେନାବାହିନୀର ପାଟ୍ରୋଲ୍ ଦଳ ଉପରେ ତୁଷାର ସ୍ଖଳନ ଘଟିବାର ଦୁଇ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା ।