ଖୁବଶୀଘ୍ର ବଦଳିବେ ବିଜେଡିର ଯୁବ, ମହିଳା ଓ ଛାତ୍ର ସଭାପତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ୫ମ ଥର ସରକାର ଗଠନ କରିସାରିଛି । ବିଜେଡି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ପୂର୍ଵଥର ଅପେକ୍ଷା ୫ଟି ଆସନର କ୍ଷତି ହୋଇଛି । ମାତ୍ର ଦଳର ଚିନ୍ତା ବଢ଼ାଇଛି ଲୋକସଭା ଆସନ । ୨୦୧୪ ନିର୍ବାଚନରେ ବିଜେଡ଼ି ଅକ୍ତିଆର କରିଥିଲା ୨୦ଟି ଆସନ । ନିର୍ବାଚନୀ ପ୍ରଚାର ବେଳେ ଏଥର ମୁଖ୍ୟମନ୍ତ୍ରୀ କହିଥିଲେ ବିଜେଡି ୨୧ରୁ ୨୧ ଜିତିବ କିନ୍ତୁ ବିଜେଡି ହାତରେ କେବଳ ୧୨ଟି ଆସନ ରହିଲା । ସବୁଠାରୁ ଅଧିକ ଆସନ ପଶ୍ଚିମ ଓଡ଼ିଶାରେ ହରାଇଲା । ତେଣୁ ଏହି ପରାଜୟର କାରଣ ଖୋଜିବାକୁ ଓ ଦଳକୁ ଅଧିକ ମଜଭୁତ କରିବାକୁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ବରିଷ୍ଠ ଓ ଅଭିଜ୍ଞ ନେତା ତର୍ଣ୍ଣ ତର୍ଣ୍ଣ କରି ଯାଞ୍ଚ କରିବା ପରେ ଏହାର ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ମୁତାବକ ଛାତ୍ର, ଯୁବ ଓ ମହିଳା ସଭାପତିଙ୍କ କାର୍ଯ୍ୟଦକ୍ଷତାରେ କିଛି କମି ରହିଯାଇଛି । ତେଣୁ କର୍ପୋରେଟର ଓ ମୁନିସପାଲଟି ନିର୍ବାଚନ ଆଗକୁ ଥିବାରୁ ଦଳ ପକ୍ଷରୁ ହୋଇଥିବା ବୈଠକରେ ଛାତ୍ର, ଯୁବ ଓ ମହିଳା ସଭାପତିଙ୍କୁ ପରିବର୍ତ୍ତନ କରାଯିବାକୁ ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।
ଅପରପକ୍ଷରେ ଯୁବ, ଛାତ୍ର ଓ ମହିଳା ସଭାପତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେମାନଙ୍କ କହିବା ମୁତାବକ ନିର୍ବାଚନ ସମୟରେ ସେମାନଙ୍କୁ କାମ କରିବାକୁ ବିଶେଷ ସୁବିଧା ଦିଆଯାଇ ନଥିଲା ।
ସୂଚନା ଅନୁଯାୟୀ, ଯୁବ ଓ ଛାତ୍ର ସଭାପତି ଜଣେ ଷ୍ଟାଣ୍ଡିଂ ବିଧାୟକ ରହିବାକୁ ପୂର୍ବରୁ ସ୍ଥିର ହୋଇଥିଲା । ମାତ୍ର ଛାତ୍ର ସଭାପତି ଦାୟିତ୍ୱ ଜଣେ ବିଧାୟକଙ୍କୁ ନଦେଇ ଛାତ୍ର ନେତାଙ୍କୁ ଦେବାକୁ ନେଇ କିଛି ନେତା ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ପଶ୍ଚିମ ଓଡ଼ିଶାରେ ବିଜେଡି ଖରାପ ପ୍ରଦର୍ଶନ କରିଥିବାରୁ ଯୁବ କିମ୍ବା ମହିଳା ସଭାପତି ଜଣେ ପଶ୍ଚିମ ଓଡିଶାର ପ୍ରାର୍ଥୀଙ୍କୁ କରାଯିବ ନେଇ ମଧ୍ୟ ବିଚାରବିମର୍ଷ ହୋଇଛି । ଏହି ବୈଠକରେ ମହିଳା ସଭାପତି ପାଇଁ ଶ୍ରୀମୟୀ ମିଶ୍ର ଙ୍କ ନାଁ ଶୁଣିବାକୁ ମିଳୁଛି । ଶ୍ରୀମୟୀ ମିଶନ ଶକ୍ତିର ଜଣେ ଦକ୍ଷ କାର୍ଯ୍ୟକର୍ତ୍ତା । ନିର୍ବାଚନ ସମୟରେ ସୁନ୍ଦରଗଡ଼ ଆସନ ପାଇଁ ଶ୍ରୀମୟୀଙ୍କ ନାଁ କୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା । ଶ୍ରୀମୟୀ ବର୍ତ୍ତମାନ ବିଜେଡିର ମହିଳା ୱାରକିଙ୍ଗ ପ୍ରେସିଡେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି ।
ସେହିପରି ଯୁବ ସଭାପତି ପାଇଁ ପୂର୍ବତନ ଯୁବ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ନାଁ ଆଗରେ ଅଛି । ଏବଂ ଛାତ୍ର ସଭାପତି ପାଇଁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନାଁ ଆଗରେ ଥିବା ବେଳେ ଯଦି ଏହି ଦାୟିତ୍ୱ ବିଧାୟକଙ୍କୁ ନଦିଆଯାଏ ତେବେ ଭୁବନେଶ୍ୱର ଛାତ୍ର ଜିଲ୍ଲା ସଭାପତି କଳ୍ପତରୁ ଓଝା ଓ ଭୁବନେଶ୍ୱର ଛାତ୍ର ଜୋନ ସଭାପତି ଅଜିତ ବେହେରାଙ୍କ ନାଁ କୁ ନେଇ ଚର୍ଚ୍ଚା ହେଉଥିବା ସୂଚନା ମିଳିଛି ।