ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ଲଗାଇବା ଅବଧିକୁ ବଢ଼ାଇଲେ ରାଜ୍ୟ ସରକାର

0

ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ଲଗାଇବା ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଭିତ୍ତିଭୂମି ଅଭାବ ଓ ଆବଶ୍ୟକ ସପ୍ଲାଏର୍ସ ନଥିବାରୁ ଅବଧି ବୃଦ୍ଧି କରାଯାଇଛି ।

ପ୍ରାଥମିକ ଭାବେ ୨୦୨୨ ସେପ୍ଟେମ୍ବର ସୁଦ୍ଧା ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ଲଗାଇବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ପରବର୍ତ୍ତୀ ସମୟରେ ଅବଧିକ ୨୦୨୩ ଏପ୍ରିଲ୍ ପରେ ୨୦୨୩ ଜୁନ୍ ୩୦ ଯାଏ ବଢ଼ିଥିଲା । ଏବେ ପୁଣି ଥରେ ବିଭାଗ ଅବଧି ବଢ଼ାଇଛି । ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ୨୦୨୩ ଅକ୍ଟୋବର ୧ ପରେ ପଞ୍ଜିକରଣ ଗାଡ଼ିରେ ଡିଭାଇସ୍ ଲାଗିକି ଆସିବ ।

ସେହିଭଳି ୨୦୨୩ ସେପ୍ଟେମ୍ବର ୩୦ ପୂର୍ବରୁ କିଣା ଯାଇଥିବା ଗାଡ଼ିରେ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଲଗାଇବାକୁ ପଡ଼ିବ । ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଲାଗିବା ଦ୍ୱାରା ସର୍ବସାଧାରଣ ଯାନବାହନକୁ ଟ୍ରାକ୍ କରାଯାଇ ପାରିବ । ତେବେ ଭିଏଲଟିଡି ଡିଭାଇସ୍ ତିନି ଚକିଆ, ଇ ରିକ୍ସା ଓ ୨ ଚକିଆ ଯାନରେ ଲଗାଇବା ବାଧ୍ୟତାମୂଳକ ନୁହେଁ ।

ଭିଏଲଟିଡିରେ ଜିପିଆରଏସ୍ ରହିଛି । ଯାହାଦ୍ୱାରା ଭେଇକିଲର ସ୍ଥାନ ସହ କେତେ ବେଗରେ ଗତି କରୁଛି ଜାଣି ହେବ । ଏଥିରେ ପ୍ୟାନିକ ବଟନ୍ ରହିଥିବା ବେଳେ ଏହାକୁ ଦବାଇଲେ ଜରୁରୀକାଳୀନ ମେସେଜ୍ ନିକଟସ୍ଥ ପୋଲିସ ଥାନା ସହ ଆରଟିଓ ଓ ଗାଡ଼ି ମାଲିକଙ୍କ ପାଖକୁ ଚାଲିଯିବ ।

Leave a comment