ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ମହାଭାରତ ଏବଂ ରାମାୟଣ

ସ୍କୁଲ ପାଠ୍ୟକ୍ରମରେ ସାମାଜିକ ବିଜ୍ଞାନରେ ସଂଶୋଧନ ନିମନ୍ତେ ଏନସିଇଆରଟି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ପାଠ୍ୟପୁସ୍ତକରେ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟକୁ ସାମିଲ କରିବା ଏବଂ ସ୍କୁଲ ଶ୍ରେଣୀ କାନ୍ଥରେ ସମ୍ବିଧାନ ମୁଖବନ୍ଧ (ପ୍ରିଏମ୍ବଲ) ଲେଖିବାକୁ ସୁପାରିଶ କରିଛନ୍ତି। ଏନେଇ ମଙ୍ଗଳବାର କମିଟି ଅଧ୍ୟକ୍ଷ ସିଆଇ ଇସ୍ତାକ ମଙ୍ଗଳବାର ସୂଚନା ଦେଇଥିଲେ।
କମିଟି ଅଧ୍ୟକ୍ଷ ଇସ୍ତାକ କହିଛନ୍ତି ଯେ, ୭ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କୁ ରାମାୟଣ ଏବଂ ମହାଭାରତ ପଢ଼ାଇବା ଜରୁରୀ। ସେ କହିଛନ୍ତି କମିଟିର ବିଶ୍ବାସ ଯେ, କିଶୋରାବସ୍ଥାରେ ଛାତ୍ରଙ୍କୁ ନିଜ ରାଷ୍ଟ୍ର ପାଇଁ ଆତ୍ମସମ୍ମାନ, ଦେଶଭକ୍ତି ଏବଂ ଗୌରବର ଅନୁଭବ ହୋଇଥାଏ। ଏଥିପାଇଁ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟ ପଢ଼ିବା ଉପରେ ସାମାଜିକ ବିଜ୍ଞାନରେ ଜୋର୍ ଦେଇଛନ୍ତି। ସେ ଆହୁରି କହିଛନ୍ତି ଦେଶଭକ୍ତିରେ ଅଭାବ କାରଣରୁ ପ୍ରତିବର୍ଷ ହଜାର ହଜାର ଛାତ୍ର ଦେଶ ଛାଡ଼ି ବିଦେଶର ନାଗରିକତ୍ବ ନେଉଛନ୍ତି । ଏଥିପାଇଁ ନିଜର ମୂଳକୁ ବୁଝିବା, ନିଜ ଦେଶ ଏବଂ ନିଜର ସଂସ୍କୃତି ପ୍ରତି ପ୍ରେମ ବିକଶିତ କରିବା ମହତ୍ବପୂର୍ଣ୍ଣ।
ଆହୁରି ମଧ୍ୟ ଇସ୍ତାକ କହିଥଲେ ଯେ, ପ୍ୟାନେଲ ୩ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକରେ ପ୍ରାଚୀନ ଇତିହାସ ବଦଳରେ ‘ଶାସ୍ତ୍ରୀୟ ଇତିହାସ’ ସାମିଲ କରିବା ଏବଂ ଇଣ୍ଡିଆ ନାମ ବଦଳରେ ଭାରତ କରିବାକୁ ସୁପାରିଶ କରିଥିଲେ। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଗଠିତ ସାତ ସଦ୍ୟସ ବିଶିଷ୍ଟ କମିଟି ସାମାଜିକ ବିଜ୍ଞାନ ପାଠ୍ୟକ୍ରମ ପାଇଁ ଅନେକ ସୁପାରିଶ କରିଛି। ଏହି ସୁପାରିଶ ନୂଆ ଏନସିଇଆରଟି ପୁସ୍ତକ ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ରହିଛି। ଏନସିଇଆରଟି ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସ୍କୁଲ ପାଠ୍ୟକ୍ରମକୁ ସଂଶୋଧନ କରୁଛି। ଏନସିଇଆରଟିର ନୂଆ ପୁସ୍ତକ ସବୁ ଆଗାମୀ ଶିକ୍ଷାବର୍ଷରୁ ପ୍ରସ୍ତୁତ ହେବା ନେଇ ସମ୍ଭାବନା ରହିଛି।