ଏଣିକି ୭ ବର୍ଷରୁ ପୁରୁଣା ଗାଡ଼ି ଚଢ଼ିବେନି ଅଫିସର

0

ରାଜ୍ୟ ସରକାର ଆଉ ନୂଆ ଗାଡ଼ି କ୍ରୟ କରିବେ ନାହିଁ । କେବଳ ମନ୍ତ୍ରୀ, ବିଭାଗୀୟ ସଚିବ, ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଜିଲ୍ଲା ଜଜମାନଙ୍କୁ ସରକାରୀ ଗାଡ଼ି ମିଳିବ । ଏମାନଙ୍କ ବାଦ୍ ଅନ୍ୟ ସମସ୍ତ ବର୍ଗର ଅଫିସର ସରକାରୀ କାର୍ଯ୍ୟ ପାଇଁ ଭଡ଼ା ଗାଡ଼ି ଉପଯୋଗ କରିବେ । ବ୍ଲକଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁସ୍ତରର ଅଫିସରମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ।

ପୁରୁଣା ଗାଡ଼ିକୁ ନଷ୍ଟନକରି ଅଫିସରମାନେ ଭଡ଼ାରେ ଗାଡ଼ି ଆଣିପାରିବେ ନାହିଁ । ଆଉ ଭଡ଼ାରେ ଆସିଥିବା ଗାଡ଼ି ଯଦି ୭ବର୍ଷ ପୁରୁଣା ହୋଇଥାଏ, ତାକୁ ତୁରନ୍ତ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ନୂଆ ଅଫିସ କିମ୍ବା ଅଫିସରଙ୍କ ପାଇଁ ଗାଡ଼ି ଭଡ଼ାରେ ଆଣିବା ନିମନ୍ତେ ଅର୍ଥ ବିଭାଗର ଅନୁମୋଦନ ଜରୁରୀ ।

ଭଡ଼ାରେ ଆସିଥିବା ଗାଡ଼ି ଛୁଟିଦିନରେ କିମ୍ବା ଅଫିସ୍ ସମୟ ବାହାରେ କୌଣସି ପ୍ରକାରର ଘରୋଇ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଉପଯୋଗ ହୋଇପାରିବ ନାହିଁ । ଅର୍ଥ ବିଭାଗ ପକ୍ଷରୁ ସରକାରୀ ଅଫିସଗୁଡ଼ିକରେ ସରକାରୀ କାର୍ଯ୍ୟ ପାଇଁ ଉପଯୋଗ ହେଉଥିବା ଘରୋଇ ଗାଡ଼ି(ପେଟ୍ରୋଲ/ଡିଜେଲ)କୁ ଭଡ଼ାରେ ଆଣିବା ନିମନ୍ତେ ବିସ୍ତୃତ ନିର୍ଦ୍ଦେଶନାମା ଜାରି ହୋଇଛି ।

ଜାରି ନିର୍ଦ୍ଦେଶନାମା ଅନୁସାରେ, କେତେକ ନିର୍ଦ୍ଦିଷ୍ଟ ବର୍ଗର ପଦାଧିକାରୀ(ମନ୍ତ୍ରୀ, ସଚିବ,ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଜଜ୍‌) ଆଦିଙ୍କୁ ସରକାରୀ ଗାଡ଼ି ଯୋଗାଇ ଦିଆଯିବ । ଅନ୍ୟ ସମସ୍ତ ଅଫିସର ଭଡ଼ାରେ ଗାଡ଼ି ଆଣି ଉପଯୋଗ କରିପାରିବେ । ଏନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ।

ଅର୍ଥ ବିଭାଗ ନିଜର ସବୁ ପୁରୁଣା ନିର୍ଦ୍ଦେଶନାମାର ସମୀକ୍ଷା କରିବା ସହ ସରକାରୀ କାର୍ଯ୍ୟ ନିମନ୍ତେ ଘରୋଇ ଡିଜେଲ ଓ ପେଟ୍ରୋଲ ଗାଡ଼ିକୁ ଭଡ଼ାରେ ଆଣିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛି । ଏହାସହିତ କେଉଁ ବର୍ଗର ଅଫିସରମାନେ କେଉଁ ଧରଣର ଗାଡ଼ି ଚଢ଼ିବେ ଓ ସେମାନଙ୍କ ପାଇଁ ଏ ବାବଦରେ ସର୍ବାଧିକ ଆର୍ôଥକ ପ୍ରାବଧାନ ମାସିକ କେତେ ରହିବ ତା’ର ଚିଠା ମଧ୍ୟ ଅର୍ଥ ବିଭାଗ ଜାରି କରିଛି । ବ୍ଲକ-ତହସିଲ ଓ ଅନ୍ୟ ଫିଲଡ୍ ଅଫିସରମାନେ ଟିୟୁଭି ୩୦୦, ବୋଲେରୋ, ଟାଟା ସୁମୋ ଗୋଲଡ୍ ,ଏର୍ଟିଗା ଆଦି ଗାଡ଼ି ଉପଯୋଗ କରିପାରିବେ ।

ଏଥିପାଇଁ ସେମାନଙ୍କୁ ମାସିକ ଗାଡ଼ି ଭଡ଼ା ବାବଦରେ ସର୍ବାଧିକ ୩୧ହଜାର ଟଙ୍କା(ଟ୍ୟାକ୍ସକୁ ବାଦ ଦେଇ) ଓ ୧୦କିମିକୁ ଗୋଟିଏ ଲିଟର ତେଲ ମିଳିବ । ସେହିପରି ଜିଲ୍ଲା ଓ ରେଞ୍ଜସ୍ତରର ଅଫିସର ଏବଂ ବିଭାଗୀୟ ମୁଖ୍ୟ/ସଚିବ(ପୁଲ ଗାଡ଼ି) ଟିଆଗୋ, ବୋଲଟ, ସିଲେରିଓ ଆଦି ଗାଡ଼ି ଉପଯୋଗ କରିବେ ଓ ଏଥିପାଇଁ ସର୍ବାଧିକ ୨୦ହଜାର ଟଙ୍କା ଓ ୧୭କିମିରେ ଗୋଟିଏ ଲିଟର ତେଲ ଦିଆଯିବ । ଜିଲ୍ଲାପାଳ-ଏସପି ଓ ଅନ୍ୟ ସମାନ ପାହ୍ୟାର ଅଫିସର ନିଜ ଉପଯୋଗ ପାଇଁ ସ୍କର୍ପିଓ, କ୍ରେଟା,ମହିନ୍ଦ୍ରା ମାରଜୋ ଆଦି ଗାଡ଼ି ଉପଯୋଗ କରିବେ । ସେମାନଙ୍କୁ ମାସିକ ସର୍ବାଧିକ ୩୭ହଜାର ଟଙ୍କା ସହ ୧୦କିମିରେ ଗୋଟିଏ ଲିଟର ତେଲ ଦିଆଯିବ । ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସିବ, ବିଭାଗୀୟ ମୁଖ୍ୟ ନିଜର ସରକାରୀ ଉପଯୋଗ ପାଇଁ ଜେଷ୍ଟ, ଟିଗୋର, ସ୍ୱିଫ୍ଟ ଡିଜାଏର, ଏକ୍ସେଣ୍ଟ, ଇଟିଅସ୍ (ପେଟ୍ରୋଲ ଆଦି ଗାଡ଼ି ଭଡ଼ାରେ ନେଇପାରିବେ ।

ଏଥିପାଇଁ ସେମାନଙ୍କୁ ସର୍ବାଧିକ ମାସିକ ୨୬ହଜାର ଟଙ୍କା ଓ ୧୭କିମିକୁ ଗୋଟିଏ ଲିଟର ତେଲ ମିଳିବ । ସେହିପରି ପ୍ରମୁଖ ସଚିବ, ସଚିବ ଓ ସମାନ ପାହ୍ୟାର ଅଫିସରଙ୍କୁ ନିଜସ୍ୱ ସରକାରୀ କାର୍ଯ୍ୟରେ ଉପଯୋଗ ପାଇଁ ସିଆଜ୍‌, ହୋଣ୍ଡା ସିଟି ଆଦି ଗାଡ଼ି ମିଳିବ । ତାଙ୍କୁ ମାସିକ ୩୦ହଜାର ଟଙ୍କା ଓ ୧୨କିମିକୁ ଗୋଟିଏ ଲିଟର ତେଲ ମଧ୍ୟ ମିଳିବ । ଆପେକ୍ସ ସ୍କେଲ ପାଉଥିବା ଅଫିସର, ମନ୍ତ୍ରୀ ଓ ଅନ୍ୟ ପଦାଧିକାରୀଙ୍କୁ ଇନୋଭା, ହେକ୍ସା, ଏକ୍ସୟୁଭି ୫୦୦ ଗାଡ଼ି ଭଡ଼ାରେ ଆଣି ଉପଯୋଗର ଅନୁମତି ମିଳିଛି ।

ସେଥିପାଇଁ ମାସିକ ୪୨ହଜାର ଟଙ୍କା ଟଙ୍କା ଓ ୯କିମିକୁ ଗୋଟିଏ ଲିଟର ତେଲ ମିଳିବ । ସେହିପରି କଲେଜ, ବିଶ୍ୱବିଦ୍ୟାଳୟ, ପ୍ରଶିକ୍ଷଣ ସଂସ୍ଥାନ ଓ ଅନ୍ୟ ଅନୁଷ୍ଠାନଗୁଡ଼ିକ ୩୦-୩୨ ସିଟର ବିଶିଷ୍ଟ ଘରୋଇ ମିନି ବସ୍ ଭଡ଼ାରେ ଆଣିପାରିବେ । ଏଥିପାଇଁ ମାସିକ ସର୍ବାଧିକ ୮୫ହଜାର ଟଙ୍କା ଓ ୬କିମିକୁ ଗୋଟିଏ ଲିଟର ତେଲ ଆକାରରେ ଭଡ଼ା ପୈଠ କରାଯିବ ।

Leave a comment