ଉଚ୍ଛେଦ ଟାଳିଲା ବଡ ବିପଦ, ବିପଦଶଙ୍କୁଳ ଅବସ୍ଥାରେ ଥିଲା ଲଙ୍ଗୁଳି ମଠ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ମେଘନାଦ ପାଚେରୀକୁ ଲାଗିଥିବା ଦୋକାନ ସବୁ ପୂର୍ବରୁ ଉଠାଇ ଦିଆଯାଇଛି । ସେହିପରି ପୁରୀକୁ ବିଶ୍ୱ ଐତିହ୍ୟ ସହର ମାନ୍ୟତା ଦେବାପାଇଁ ଶ୍ରୀମନ୍ଦିର ଚତୁରପାର୍ଶ୍ଵରୁ ୭୫ମିଟର ଭିତରେ ଥିବା ସମସ୍ତ ମଠ, ଦୋକାନ ଓ ଘର ଭଙ୍ଗା ଯିବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ପୁରୀ ଜଗନ୍ନାଥ ମନ୍ଦିର ନିକଟବର୍ତ୍ତୀ ଲଙ୍ଗୁଳି ମଠ ବିପଦଶଙ୍କୁଳ ଅବସ୍ଥାରେ ଥିଲା ବୋଲି ଜଣାପଡିଛି । ଯାହାଦ୍ୱାରା ଆଜିର ଏହି ଉଚ୍ଛେଦ ପ୍ରକ୍ରିୟା ଭବିଷ୍ୟତର ଏକ ନିଶ୍ଚିତ ବଡ଼ ଦୁର୍ଘଟଣାକୁ ଟାଳିଦେଇଥିବା ସୂଚନା ମିଳିଛି । ଏହାର ସମସ୍ତ ଶ୍ରେୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷ୍ଣ କୁମାରଙ୍କୁ ସ୍ଥାନୀୟ ଲୋକ ଦେଉଥିବା ସୂଚନା ମିଳିଛି । ଡାକ୍ତର କ୍ରିଷ୍ଣ କୁମାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯିବା ପରେ ପୁରୀ ଓ ଜଗନ୍ନାଥ ମନ୍ଦିରର ସର୍ବାଙ୍ଗୀନ ଉର୍ଣ୍ଣତ୍ତି ହେବ ବୋଲି ସମଗ୍ର ପୁରୀବାସୀଙ୍କ ଆଶା ଓ ବିଶ୍ୱାସ ।
ସୂଚନା ଅନୁଯାୟୀ, ଆଜି ସକାଳୁ ଶ୍ରୀମନ୍ଦିର ଚତୁରପାର୍ଶ୍ଵରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ଉଚ୍ଛେଦରେ କ୍ଷତିଗ୍ରସ୍ତ ସମସ୍ତ ବ୍ୟକ୍ତିଙ୍କ ଥଇଥାନ କରାଯିବା ପ୍ରତିଶ୍ରୁତି ଦେଇଛନ୍ତି ଓ ପୁରୀକୁ ବିଶ୍ୱ ଐତିହ୍ୟ ସହର ମାନ୍ୟତା ଦେବାରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓରେ ଅନୁରୋଧ କରିଛନ୍ତି । ଏହି ଭିଡ଼ିଓ ସମଗ୍ର ଓଡ଼ିଶା ବାସୀଙ୍କ ମନକୁ ଛୁଇଁଥିବା ଚର୍ଚ୍ଚା ହେଉଛି ।
ସେହିପରି ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏବଂ ୨୧ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯିବା ସହ ଓଏସଏଏଫଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।