ଡକ୍ଟର କ୍ରିଶନ କୁମାରଙ୍କୁ ମିଳିଲା ଚାରିଧାମ ପ୍ରକଳ୍ପର ଗୁରୁ ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା ପରେ କାହାକୁ ଦିଆଯିବ ଜାତୀୟ ରାଜପଥ ବିକାଶ ନିଗମ (NHIDCL) ଦାୟିତ୍ୱ ସେନେଇ ବହୁ ଚିନ୍ତା କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶେଷରେ ଯୁବ ଓଡିଶା କ୍ୟାଡର ଆଇଏଏସ ଅଫିସର ଡକ୍ଟର କ୍ରିଶନ କୁମାରଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ତାଙ୍କୁ ଏନଏଚଆଇଡିସିଏଲର ପରିଚାଳନା ନିର୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର ।

ଡକ୍ଟର କ୍ରିଶନ କୁମାରଙ୍କର ଓଡିଶା ବ୍ରିଜ ନିର୍ମାଣ ନିଗମ (OBCC) ଜରିଆରେ ରାଜ୍ୟରେ ବଡ଼ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଓ ସଫଳତାର ସହ ବାତ୍ୟା ଫାଇଲିନ ମୁକାବିଲାର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପିଏମଓ ତାଙ୍କୁ ଚାରିଧାମ ପ୍ରକଳ୍ପ ଦାୟିତ୍ୱ ଦେଇଛନ୍ତି ।

ଚାରିଧାମ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚଅଭିଳାଷୀ ପ୍ରକଳ୍ପ । ଏହି ବୃହତ ଭିତ୍ତିଭୂମି ପ୍ରକଳ୍ପ ହିମାଳୟ ପାଦଦେଶରେ ଥିବା ଦେଶର ଚାରିଟି ପ୍ରମୁଖ ଧର୍ମୀୟସ୍ଥଳୀକୁ ସଂଯୋଗ କରିବ । ଏହି ପ୍ରକଳ୍ପ ଦ୍ୱାରା ଜମୁନୋତ୍ରୀ, ଗଂଗୋତ୍ରୀ, କେଦାରନାଥ ଓ ବଦ୍ରିନାଥକୁ ସଡକ ଭିତ୍ତିଭୂମିର ବିକାଶ କରାଯିବ । ଏଥିପାଇଁ ୧୨ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ସିଲକ୍ୟାରା ବେଣ୍ଡ-ବାରକୋଟ ଟନେଲ କାର୍ଯ୍ୟ ବି ଏନଏଚଆଇଡିସିଏଲ ହାତକୁ ନେବ । ଗତ ନଭେମ୍ବର ୧୨ ତାରିଖରେ ନିର୍ମାଣଧୀନ ଏହି ଟନେଲର ଗୋଟେ ଅଂଶ ଭୁଶୁଡି ପଡିଥିଲା । ସେ ସମୟରେ ୪୧ ଜଣ ଶ୍ରମିକ ଫାଶିଯାଇଥିଲେ । ୧୬ ଦିନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣା ଦେଶରେ ବୃହତ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଥିବା ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । ଏଭଳି ଏକ ମେଗା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଏନଏଚଆଇଡିସିଏଲ ନିଜକୁ ରୂପାନ୍ତରଣ କରିବାର ଆବଶ୍ୟକତା ରହିଛି ।

ସେହିଭଳି ଆଗାମୀ ଦିନରେ ଏନଏଚଆଇଡିସିଏଲ ଯୋଜିଲ୍ଲା ଟନେଲ ପ୍ରକଳ୍ପକୁ ହାତକୁ ନେବ । ନିର୍ମାଣଧୀନ ଏହି ୯.୫ ମିଟର ଚଉଡା, ୭.୫୭ ମିଟର ଉଚ୍ଚ ଓ ୧୪.୨ କିଲୋମିଟର ଲମ୍ବା । ଘୋଡା ନାଳ ଢାଞ୍ଚାରେ ଏକକ ଟ୍ୟୁବ ଭଳି ଦୁଇ ଲେନ ବିଶିଷ୍ଟ ଏହି ଟନେଲ ସମୁଦ୍ର ଲେବୁଲରୁ ୧୧ହଜାର ୫୭୫ ଫିଟ ଉଚତାରେ ନିର୍ମାଣ କରାଯାଉଛି । ଏହା କାଶ୍ମୀରର ଗଣ୍ଡେର୍ବାଲ ଓ କାର୍ଗିଲର ଦ୍ରାସ ସହରକୁ ସଂଯୋଗ କରିବ । ଯୋଜିଲ୍ଲା ଟନେଲ ଚାଇନା ସୀମା ନିକଟବର୍ତ୍ତୀ ଦେଇ ଯିବ। ଏହାଦ୍ୱାରା ସେନା ଏବଂ ଶ୍ରୀନଗର ଓ ଲେହ ଲୋକଙ୍କୁ ବର୍ଷତମାମ ଗମନାଗମନ ସୁବିଧା ଯୋଗାଇବ ।

ଏଥିସହିତ ଏନଏଚଆଇଡିସିଏଲ ଆସାମ ମେଘାଳୟ ସେତୁ ପ୍ରକଳ୍ପର କାର୍ଯ୍ୟକାରିତା ଦାୟିତ୍ୱ ମଧ୍ୟ ହାତକୁ ନେବ । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହେବାକୁ ଥିବା ଏହି ୧୯.୨୮ କିଲୋମିଟର ଲମ୍ବା ସେତୁ ଆସାମର ଉତ୍ତରରେ ଥିବା ଧୁବ୍ରି ଓ ମେଘାଳୟର ଦକ୍ଷିଣରେ ଥିବା ଫୁଲବାରୀକୁ ସଂଯୋଗ କରିବ । ଏହା ଜାତୀୟ ରାଜପଥ ୧୨୭ (ବି)ର ଏକ ଅଂଶ । ଏହା ଦେଶର ସବୁଠାରୁ ଲମ୍ବା ସେତୁ ।

ଏନଏଚଆଇଡିସିଏଲ ଦେଶର ବିଭିନ୍ନ ରାଜ୍ୟର ୧୩ଟି ସମ୍ବେଦନଶୀଳ ସ୍ଥାନରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ବହନ କରିବ । ଆଣ୍ଡାମାନ ନିକୋବର, ଅରୁଣ।ଚଳ ପ୍ରଦେଶ, ଆସାମ, ଜମ୍ମୁ କାଶ୍ମୀର, ଲଦାଖ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ପଶ୍ଚିମବଙ୍ଗ, ତ୍ରିପୁରା ଓ ଉତ୍ତରାଖଣ୍ଡର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏନଏଚଆଇଡିସିଏଲ ।

Leave a comment